ରାଶନ ବାଟମାରଣ ରୋକିବା ଯୋଜନା: ଓଜନ ମେଶିନ ସହ ସଂଯୋଗ ହେବ ପିଓଏସ୍‌

ଭୁବନେଶ୍ୱର,୧୭ା୭(ଅନିଲ ଦାସ): ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌)ରେ ଗରିବ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟ ବାଟମାରଣା ଉପରେ ରୋକ ଲାଗିବ। ଖାଦ୍ୟଶସ୍ୟ ଓଜନ କରୁଥିବା ମେଶିନ ସହ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌)କୁ ସଂଯୋଗ କରାଯିବ। ଏହାଦ୍ୱାରା ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା(ପିଡିିଏସ୍‌)ରେ ହିତାଧିକାରୀଙ୍କୁ ଦିଆଯାଉଥିବା ରାଶନ ଏବଂ ପିଓଏସ୍‌ରୁ ବାହାରୁଥିବା ରସିଦ ସହ ତାହା ମେଳ ଖାଇବ। ଫଳରେ ହିତାଧିକାରୀଙ୍କୁ ମିଳୁଥିବା ରାଶନ ଓଜନରେ ହେଉଥିବା ବାଟମାରଣ ରୋକାଯାଇ ପାରିବ। ଅନେକ ସମୟରେ ହିତାଧିକାରୀଙ୍କ ଚାଉଳ ଡିଲର ପଏଣ୍ଟରେ କମ୍‌ କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। କେତେକ କ୍ଷେତ୍ରରେ ରସିଦ ଠିକ୍‌ ଦିଆଯାଉଥିବା ବେଳେ ଓଜନ କମ୍‌ କରି ଦିଆଯାଉଥିଲା। ଏହାଦ୍ୱାରା ହିତାଧିକାରୀଙ୍କ ବହୁ ପରିମାଣର ଚାଉଳ ହଡ଼ପ କରାଯାଉଥିଲା। ଆସନ୍ତା ମାସକ ମଧ୍ୟରେ ରାଜ୍ୟର ୧୨ ହଜାର ସରକାରୀ ଖୁଚୁରା ଦୋକାନରେ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ୱାରା ପିଡିଏସ୍‌ରେ ଆହୁରି ସ୍ବଚ୍ଛତା ଆସିପାରିବ।

Share