Categories: ଜାତୀୟ

୧ ନଭେମ୍ବରରୁ ଘରେ ପହଞ୍ଚିବ ରାଶନ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା …

ଭୋପାଳ,୧୯।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ନଭେମ୍ବର ୧ଠାରୁ ମଧ୍ୟପ୍ରଦେଶ ଫାଉଣ୍ଡେସନ ଦିବସ ଅବସରରେ ୮୯ଟି ଆଦିବାସୀ ବ୍ଲକରେ ସମସ୍ତ ହିତାଧିକାରୀଙ୍କ ଘରେ ରାଶନ ପହଞ୍ଚିବ। ଆଦିବାସୀ ସମାଜର ଲୋକଙ୍କୁ ଏହି ଉପହାର ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୁମର କାମ ଛାଡି ଦୋକାନକୁ ଯିବାର ଆବଶ୍ୟକତା ନାହିଁ।
ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ଆଦିବାସୀ ନେତାଙ୍କ ସମ୍ମାନାର୍ଥେ ଆୟୋଜିତ  ଗର୍ବ ଦିବସ ପାଳନର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଜବଲପୁର ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି। ଗର୍ବ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଲୋକଙ୍କୁ ସମ୍ବୋଧିତ କରି ଶିବରାଜ କହିଥିଲେ ଯେ, କେବଳ ଭାଜପା ସରକାର ଆଦିବାସୀ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି। ଯେତେବେଳେ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ପ୍ରଥମ ଥର ପାଇଁ ଆଦିବାସୀ ସମ୍ପ୍ରଦାୟ ପାଇଁ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯାଇଥିଲା ବୋଲି ଶିବରାଜ କହିଛନ୍ତି।
ଏହା ସହିତ ମୁଖ୍ୟମନ୍ତ୍ରୀ ଶିବରାଜ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ଆଦିବାସୀ ସମ୍ପ୍ରଦାୟର ଛାତ୍ରୀଛାତ୍ରମାନଙ୍କୁ ମାତ୍ର ୨୦୦-୩୦୦ ଟଙ୍କା ବୃତ୍ତି ପ୍ରଦାନ କରାଯାଉଥିଲା। ଏହି ଛାତ୍ରବୃତ୍ତିର ପରିମାଣ ଭାଜପା ସରକାର ବୃଦ୍ଧି କରି ଏହାକୁ ଏବେ ୧୨୦୦-୧୩୦୦ ଟଙ୍କା କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମ୍ପ୍ରଦାୟର ହଜିଯାଇଥିବା ପରିଚୟ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ସୁବର୍ଣ୍ଣ ସ୍ବପ୍ନକୁ ଆମେ ସାକାର କରିବୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଧିକ ସୁଧ ହାର ହେତୁ ଜନଜାତିର ଭାଇ ଓ ଭଉଣୀମାନେ ଶୋଷିତ ହେଉଛନ୍ତି। ତେଣୁ, ଏକ ପ୍ରଭାବଶାଳୀ ଆଇନ ପ୍ରସ୍ତୁତ କରି ଆଦିବାସୀ ଅଞ୍ଚଳରେ ଟଙ୍କା ବ୍ୟବସାୟ କରୁଥିବା ସାହୁକାରଙ୍କ ପାଇଁ ସୁଧ ହାର ମଧ୍ୟ ସ୍ଥିର କରାଯାଇଛି। ଯେଉଁମାନେ ସ୍ଥିର ହାରଠାରୁ ଅଧିକ ସୁଧ ନେବେ ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଆଇନ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଶିବରାଜ କହିଛନ୍ତି।

Share