Categories: ରାଜ୍ୟ

ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି

ପୁରୀ, ୬।୭: ପୁରୀରେ ବସିଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟିର ବୈଠକରେ ଆଜି ରତ୍ନଭଣ୍ଡାର ଚାବି ଉପରେ ଫୋକସ କରାଯାଇଛି । ଚାବି ମଳିବା ପରେ ରତ୍ନଭଣ୍ଡାର ଖୋଲାହେବ। ପରେ ଗଣତି ମଣତି ହେବ। ଭଣ୍ଡାର ଖୋଲିବା ନେଇ ତାରିଖ ଘୋଷଣା ହୋଇନଥିବା ସୂଚନା ମିଳିଛି ।

ଆସନ୍ତା ୯ ତାରିଖ ବୈଠକରେ ମୁଖ୍ୟ ପ୍ରଶାସକ ଚାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି । ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରିବେ ମୁଖ୍ୟ ପ୍ରଶାସକ । ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ନିଷ୍ପତ୍ତି ନେବେ କମିଟି । କେବେ ରତ୍ନଭଣ୍ଡାର ଖୋଲାଯିବ ପ୍ରଶ୍ନରେ ଆସନ୍ତା ୯ ତାରିଖରେ ନିଷ୍ପତ୍ତି ନିଆଯିବ ବୋଲି ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି । ଡୁପ୍ଲିକେଟ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି ବୋଲି ଜଷ୍ଟିସ ରଥ କହିଛନ୍ତି । ଯଦି ଉକ୍ତ ଚାବିରେ ନଖୋଲେ ତେବେ ତାଲା ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି । ବହୁ ଦଶନ୍ଧି ହେଲାଣି, ଉକ୍ତ ତାଲା ଖୋଲା ଯାଇନାହିଁ ବୋଲି ସେ କହିଛନ୍ତି ।

ଏଥି ସହିତ ତାଲା କିଭଳି ଭଙ୍ଗାଯିବ ସେନେଇ ଏସଓପି ପ୍ରସ୍ତୁତ କରାଯିବ । ପ୍ରସ୍ତୁତ ଏସଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ । ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିବା ପରେ ଗଣତି, ମଣତି ହେବ । ଏଥିରେ କିଏ ରହିବେ ଆମେ କେବଳ ପରାମର୍ଶ ଦେବୁ । ମହାପ୍ରଭୁ ମନ୍ଦିର ଲେଉଟିବା ପୂର୍ବରୁ ଗହଣାକୁ ସ୍ଥାନାନ୍ତର ହେବ । ଗହଣା ସ୍ଥାନାନ୍ତର ହୋଇ ଭଣ୍ଡାର ମରାମତି ଆରମ୍ଭ ହେବ ବୋଲି ଆଶା କରୁଛୁ । ଗଣତି, ମଣତି କିଭଳି କରାଯିବ, ସେନେଇ ଅଲଗା କମିଟି କରାଯିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି ।

ଆମେ ଗହଣା ଚିହ୍ନି ପାରିବୁନି, ତେଣୁ ସେନେଇ ଅଲଗା ସବ କମିଟି ହେବ । ପୂର୍ବଥର ୭୦ ଦିନରୁ ଅଧିକ ସମୟ ଲାଗିଥିଲା, ଏଥର ଶୀଘ୍ର ସରିବା ନେଇ ଆଶା କରାଯାଉଛି । ଉନ୍ନତ ଟେକ୍ନୋଲୋଜି ଥିବାରୁ ଶୀଘ୍ର ଗଣତି କାମ ସରିବା ଆଶା ରହିଛି । ମ୍ୟାନେଜିଂ କମିଟି ଅସ୍ଥାୟୀ ରତ୍ନଭଣ୍ଡାର ନିଷ୍ପତ୍ତି ନେବ । ଅସ୍ଥାୟୀ ରତ୍ନଭଣ୍ଡାରର କେଉଁଠି ପରିଚାଳନା ହେବ ସେ ନେଇ କମିଟି ନିଷ୍ପତ୍ତି ନେବ । ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏନେଇ ସୂଚନା ଦେବା ସହ ପ୍ରଥମରେ ନୀତିକାନ୍ତିକୁ ଗୁରୁତ଼୍ବ ଦିଆଯିବ, ଦ଼୍ବିତୀୟରେ ଶ୍ରଦ୍ଧାଳୁଙ୍କୁ ଗୁରୁତ଼୍ବ ଦିଆଯିବ ବୋଲି ସେ କହିଛନ୍ତି ।