ରତ୍ନ ଭଣ୍ଡାର ନିଶ୍ଚୟ ଖୋଲିବ, ଦୋଷୀଙ୍କୁ ଦଣ୍ଡ ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ଼୍ବର, ୩୦।୦୬: ଭାରତୀୟ ଜନତା ପାର୍ଟିର ନବନିର୍ବାଚିତ ବିଧାୟକ ଏବଂ ଏମ୍‌ପିମାନଙ୍କୁ ସମ଼୍ବର୍ଦ୍ଧନା ଦେବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ । ଭୁବନେଶ଼୍ବରର ପ୍ରଦର୍ଶନୀ ପଡ଼ିଆରେ ଏହି ସମ଼୍ବର୍ଦ୍ଧନା ସଭା ହେଉଥିବା ବେଳେ ଏଥିରେ ସମସ୍ତ ଏମ୍‌ପି ଓ ବିଧାୟକ ଉପସ୍ଥିତ ରହିଛନ୍ତି । ଭାଜପାର ୨୦ ଏମ୍‌ପି ଏବଂ ୭୮ ଜଣ ବିଧାୟକ ସଭାରେ ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଛନ୍ତି ।

ଏହି ସଭାରେ ନୂଆ ଓଡ଼ିଶା ଗଠନ କରିବାକୁ ଆହ଼୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ବାଚନରେ ବିଜୟ ଆମ ପାଇଁ ଐତିହାସିକ ବିଜୟ ବୋଲି ସେ କହିଛନ୍ତି । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଆମକୁ ସଂକଳ୍ପ ନେବାକୁ ପଡ଼ିବ । ଏକ ନୂଆ ଓଡ଼ିଶା ଗଠନ କରିବାକୁ ଆମମାନଙ୍କୁ ଦାୟିତ଼୍ବ ମିଳିଛି ବୋଲି ସେ କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ସମ଼୍ବର୍ଦ୍ଧନା ସଭାରେ ରତ୍ନ ଭଣ୍ଡାର ନିଶ୍ଚିତ ଖୋଲିବ ବୋଲି କହିଛନ୍ତି । ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲିବ ଏବଂ ଗଣତି ହେବ । ଯଦି କିଛି ଗଡ଼ବଡ଼ ହୋଇଥାଏ ତେବେ ଦୋଷୀ ପାତାଳରେ ଥିଲେ ବି ଖୋଜି ବାହାର କରାଯିବ ଏବଂ ଦଣ୍ଡ ବିଧାନ କରାଯିବ ବୋଲି ସେ କହିଛନ୍ତି । ଏଥିସହିତ ସେପ୍ଟେମ଼୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥସହ ସେ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସେ କହିଛନ୍ତି । ଆମ ସପକ୍ଷରେ ୮୧ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ କହିବା ସହିତ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ପରିଷଦରେ ୩ ଜଣଙ୍କୁ କ୍ୟାବିନେଟ୍‌ ଦାୟିତ଼୍ବ ଦେଇଛନ୍ତି ବୋଲି ସେ କହିଛନ୍ତି । ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବା ଭାଜପା ସରକାର । ଆଗାମୀ ୫ ବର୍ଷ ଦିନ ରାତି ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ ତାଙ୍କ ଭାଷଣରେ କହିଛନ୍ତି ।