ନିଶ୍ଚିତ ଖୋଲାଯିବ ରତ୍ନଭଣ୍ଡାର: ମନ୍ତ୍ରୀ

ଭୁବନେଶ୍ୱର,୨୪ା୬: ରତ୍ନଭଣ୍ଡାର ନିଶ୍ଚିତ ଖୋଲା ଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍‌ଲାଇନ୍‌ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ ଟିମ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ।

Share