ଅକ୍ଟୋବର ୧୫ରୁ ରତ୍ନଭଣ୍ଡାର ମରାମତି

କଟକ,୧୯ା୯ (କାର୍ତ୍ତିକ ସାହୁ):ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ଆସନ୍ତା ଅକ୍ଟୋବର ୧୫ରୁ ଆରମ୍ଭ କରିବାକୁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ଜ୍ଞାନକୌଶଳ ମାଡ୍ରାସ୍‌ ଆଇଆଇଟିରୁ ଅଣାଯିବା ସହ କିଏ କାମ କରିବ ସେ ନେଇ ଅକ୍ଟୋବର ୧୫ ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୯ ତାରିଖକୁ ଧାର୍ଯ୍ୟ ହୋଇଛି।
ସୂଚନା ଅନୁଯାୟୀ, ହାଇକୋର୍ଟରେ ଦାଖଲ ହୋଇଥିବା ରତ୍ନଭଣ୍ଡାର ମରାମତି ସଂକ୍ରାନ୍ତ ରିପୋର୍ଟ ଉପରେ ଆବେଦନକାରୀ ଦିଲ୍ଲୀପ କୁମାର ମହାପାତ୍ର ଶୁକ୍ରବାର ପ୍ରତିଜବାବ ଦାଖଲ କରିଛନ୍ତି। ପ୍ରତିଜବାବରେ ସେ ଦର୍ଶାଇଛନ୍ତି ଯେ, ସେକ୍ସନ-୯ରେ ରହିଥିବା ଶ୍ରୀମନ୍ଦିର ଆଇନ-୧୯୬୦ ପାଳନ ହେଉନାହିଁ। ଏହି ଆଇନ ଅନୁଯାୟୀ ରତ୍ନଭଣ୍ଡାରର ଅଳଙ୍କାର ଦେଖାଶୁଣା କରିବା ନିମନ୍ତେ ଗଠିତ କୋର୍‌ କମିଟି ପ୍ରତି ୩ ବର୍ଷରେ ଥରେ ତିଆରି ହେବା ଅଥବା ରିନ୍ୟୁ ହେବା କଥା। ସେହିପରି ରୁଲ୍‌-୮ ଅନୁସାରେ କୋର୍‌ କମିଟି ଗଠନ ହୋଇଯିବା ପରେ ଉକ୍ତ କମିଟି ୩ଟି ଯାକ ରତ୍ନଭଣ୍ଡାରରେ ଅଳଙ୍କାର ଯାଞ୍ଚ କାର୍ଯ୍ୟ ନିଜେ ଉପସ୍ଥିତ ରହି କରିବ। ଏପରି ହେଲେ ୧୯୭୮ ମସିହାରୁ ୨୦୨୩ ମଧ୍ୟରେ ୧୫ ଥର ଅଳଙ୍କାର ଯାଞ୍ଚ ହେବା କଥା। କିନ୍ତୁ ଏହି ସମୟ ମଧ୍ୟରେ କୌଣସି କୋର୍‌ କମିଟି ଗଠନ ବା ରିନ୍ୟୁ ହୋଇ ନ ଥିବା ବେଳେ ଅଳଙ୍କାର ଯାଞ୍ଚ ବି ହେଉ ନାହିଁ। ଯଦ୍ଦ୍ବାରା ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ ହେଉଥିବା ଆବେଦନକାରୀ ପ୍ରତିଜବାବରେ ଦର୍ଶାଇଛନ୍ତି। ଆଇନଜୀବୀ ଆଲୋକ ମହାପାତ୍ର ଏହି ମାମଲା ପରିଚାଳନା କରୁଛନ୍ତି।
ପ୍ରକାଶ ଯେ, ଶ୍ରୀମନ୍ଦିର ଜଗମୋହନ, ନାଟମଣ୍ଡପ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ମରାମତି ନେଇ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ୨ଟି ମାମଲା ଦାଏର କରାଯାଇଥିଲା। ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଅଭିଷେକ ଦାସଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା।

Share