ରତ୍ନଭଣ୍ଡାର ତୁରନ୍ତ ମରାମତି ଜରୁରୀ: ଏଏସ୍‌ଆଇ

କଟକ,୮ା୮(କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଜରୁରୀ ବୋଲି ସୋମବାର ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍‌ଆଇ)। ୨୦୧୮ରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ଥିବା ଜଣାଯାଇଛି। ବିଚାରପତି ଶୁଭାଶିଷ ତାଳପତ୍ର ଏବଂ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ସୋମବାର ଏହି ମାମଲାର ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ନିମନ୍ତେ ଅଗଷ୍ଟ ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି।
ସୂଚନା ଅନୁସାରେ, ୨୦୧୮ ମସିହାରୁ ରତ୍ନଭଣ୍ଡାରରେ ଫାଟ ସୃଷ୍ଟି ହୋଇଥିବା ଯାନ୍ତ୍ରିକ କମିଟିର ଯାଞ୍ଚ ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ପୂର୍ବରୁ ରତ୍ନଭଣ୍ଡାରରୁ ପାଣି ଝରୁଥିଲା, ରତ୍ନଭଣ୍ଡାର ଚଟାଣରେ କିଛି ପଥର ପଡ଼ିଥିଲା, କାନ୍ଥ ମଝିରେ ଫାଟ ଥିବାର ଫମ୍ପା ଶବ୍ଦ ଆସିଥିଲା। ବର୍ତ୍ତମାନ ରତ୍ନଭଣ୍ଡାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି। ପୂର୍ବତନ ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟକୁ ଆଧାର କରି ବାରମ୍ବାର ଚିଠି ଲେଖିବା ପରେ ବି ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ଆଗ୍ରହ ଦେଖାଉନାହାନ୍ତି। ରତ୍ନଭଣ୍ଡାର ବିପଦସଙ୍କୁଳ ଅବସ୍ଥାରେ ଅଛି ବୋଲି ୨୦୧୮ ଓ ୨୦୨୨ରେ ଏଏସ୍‌ଆଇ ମନ୍ଦିର ପ୍ରଶାସନକୁ

ଲିଖିତ ଭାବେ ଜଣାଇଥିଲା। ତଥାପି ଭିତର ରତ୍ନଭଣ୍ଡାର ମରାମତି ଲାଗି ତତ୍ପରତା ପ୍ରକାଶ ପାଉନାହିଁ। ଶ୍ରୀମନ୍ଦିରର ସୁରକ୍ଷା, ନିରାପତ୍ତା ଏବଂ ସ୍ଥାପତ୍ୟ ସଂରକ୍ଷଣ ଦୃଷ୍ଟିରୁ ଅବିଳମ୍ବେ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବାକୁ ଅନୁମତି ଦିଆଯାଉ ବୋଲି ଏସ୍‌ଆଇ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି। ରାଜ୍ୟ ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଦାଏର ରିଟ୍‌ ପିଟିଶନର ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏଏସ୍‌ଆଇର ଯାନ୍ତ୍ରିକ କମିଟି ଓ ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ବିଶେଷଜ୍ଞ କମିଟି ଏବଂ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୯ଜଣିଆ କମିଟିର ରିପୋର୍ଟକୁ ଆଧାର କରି ଯୁକ୍ତି ବାଢ଼ିଥିଲେ। ୪୫ ବର୍ଷ ଧରି ରତ୍ନଭଣ୍ଡାରର ଅଳଙ୍କାର ଗଣତି କରାଯାଇ ନାହିଁ। ରତ୍ନଭଣ୍ଡାର ସୁରକ୍ଷିତ କି ନୁହେଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଅଳଙ୍କାର ଗଣତି କରାଯିବା ସହ ବିପଦସଙ୍କୁଳ ଅବସ୍ଥାରେ ଥିବା ରତ୍ନଭଣ୍ଡାର ତୁରନ୍ତ ଖୋଲି ମରାମତି କରାଯିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ପ୍ରତିପକ୍ଷ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା, ଏଏସ୍‌ଆଇ ଡିଜି ଏବଂ ଅଧୀକ୍ଷକଙ୍କୁ ଜବାବ ଦାଖଲ ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share