ବାପାଙ୍କ ପରେ ପୁଅ ଅମଳରେ ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷିତ ଦୀର୍ଘ ୪୬ ବର୍ଷ ପରେ ରବିବାର ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲାଯାଇଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଛି। ଏହା ପରେ ଭିତର ରତ୍ନଭଣ୍ଡାର ଦ୍ୱାର ଖୋଲାଯିବ। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଆଜି ଗଣତି ହେବ ନାହିଁ କେବଳ ଯାଞ୍ଚ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଏକ ଅପୂର୍ବ ସଂଯୋଗ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟସ୍‌ ମୁତାବକ ପ୍ରତି ୩ବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନେଇ ନିୟମ ରହିଥିବା ବେଳେ ଆଜିକୁ ପ୍ରାୟ ୪୬ବର୍ଷ ହେବ ଏହା ଖୋଲାଯାଇ ନ ଥିଲା। ଶେଷଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ବର୍ତ୍ତମାନ ୨୦୨୪ରେ ରତ୍ନଭଣ୍ଡାର ଖୋଲାଯାଇଛି। ସେତିକିବେଳେ ରାଜ୍ୟର ଆଇନ୍‌ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ରହିଥିଲେ । ବର୍ତ୍ତମାନ ୨୦୨୪ରେ ବିଶ୍ୱଭୂଷଣଙ୍କ ପୁଅ ତଥା ବରିଷ୍ଠ ଭାଜପା ନେତା ପୃଥୱୀରାଜ ହରିଚନ୍ଦନ ଆଇନ୍‌ ମନ୍ତ୍ରୀ ଅଛନ୍ତି। ଏହାକୁ ଏକ ବଡ଼ ସଂଯୋଗ ବୋଲି ମଧ୍ୟ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

Share