ରତ୍ନଭଣ୍ଡାର ଅଳଙ୍କାର ରହିବା ପାଇଁ ଆସିଲା ସିନ୍ଦୁକ: ଜାଣନ୍ତୁ କିଏ, କେତେ ସମୟରେ କେଉଁଥିରେ କଲେ ତିଆରି

ପୁରୀ,୧୪।୭: ଆଜି ଖୋଲିବ ରତ୍ନଭଣ୍ଡାର, ଭିତରେ ଥିବା ସିନ୍ଦୁକରୁ ଅଳଙ୍କାର ଗଣତି କରାଯାଇ ଅନ୍ୟ ସିନ୍ଦୁକରେ ରଖାଯିବା ପାଇଁ ୬ ସିନ୍ଦୁକ ଆସି ପୁରୀରେ ପହଞ୍ଚିଛି। ସ୍ବତନ୍ତ୍ର ବରାଦ କରାଯାଇ ଏହି ୬ ସିନ୍ଦୁକ ତିଆରି କରାଯାଇଛି। ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିବା ବେଳେ ୬ଟି ସିନ୍ଦୁକ ଟ୍ରକରେ ଆଣି ଭୁବନେଶ୍ୱରର ଜନୈକ ବ୍ୟକ୍ତି ପହଞ୍ଚଛନ୍ତି। ଏହାକୁ ତିଆରି କରିବାକୁ ୨୦ କାରିଗରଙ୍କୁ ୪୮ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିଥିଲା। ୪୮ ଘଣ୍ଟାର ପରିଶ୍ରମ ପରେ ଏହି ୬ଟି ସିନ୍ଦୁକ ତିଆରି ହୋଇଥିଲା। ବାକି ଆଉ ୯ଟି ସିନ୍ଦୁକ କାର୍ଯ୍ୟ ଚାଲିଛି। ଏହା ଖୁବ ଶୀଘ୍ର ପହଞ୍ଚିବ।
ସୂଚନାଯୋଗ୍ୟ, ଏହି ସିନ୍ଦୁକ ଶାଗୁଆନ କାଠରେ ପ୍ରସ୍ତୁତ କରାଯାଇଛି । ତା ସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି । ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ସିନ୍ଦୁକକୁ ଶ୍ରୀମନ୍ଦିର ଭିତରକୁ ନିଆଯାଉଛି । ଏଥିସହ ତାଲା ଭାଙ୍ଗିବାକୁ କଟର୍‌ ମେଶିନ ମଧ୍ୟ ଯାଇଛି ।
ଅନ୍ୟପକ୍ଷେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଛି ତଦାରଖ କମିଟି । କମିଟିର ସଦସ୍ୟମାନେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ।

Share