ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ

ପୁରୀ,୪।୮(ଅଜିତ ମହାନ୍ତି): ଦୀର୍ଘବର୍ଷ ଧରି ବାଦବିବାଦ ଲାଗିରହିଥିବା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉପରେ ଶେଷରେ ଆଶା ସଞ୍ଚାର ହୋଇଛି। ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ। ସେ ସମୟରେ ରତ୍ନଭଣ୍ଡାର ଭିତର ଅଂଶ ମରାମତି ହେବା ସହ ଭିତରର ସ୍ଥିତି ଅନୁଧ୍ୟାନ କରାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। ଆଗାମୀ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯିବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱ୍ବାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ରନତ୍ଭଣ୍ଡାର ଖୋଲାଯାଉ ବୋଲି ସରକାରଙ୍କୁ ଅନୁରୋଧ କରାଯିବ।
ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ଦୁଇ ଦୁଇଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବାତିଲ ହେବା ପରେ ଶେଷରେ ଶୁକ୍ରବାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତନିବାସ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା।