ରତ୍ନାବତୀ ସ୍କୁଲ

ରାଜସ୍ଥାନର ଜଏସାଲମେରର ଥର୍‌ ମରୁଭୂମିରେ ନିର୍ମାଣ ହୋଇଛି ରାଜକୁମାରୀ ରତ୍ନାଦେବୀ ବାଳିକା ବିଦ୍ୟାଳୟ। ଏହି ସ୍କୁଲ୍‌ର ନିଆରା ନିର୍ମାଣ ଶୈଳୀ ଲାଗି ଏହା ବେଶ୍‌ ପ୍ରସିଦ୍ଧ। ଜାଣିବା ଏହି ସ୍କୁଲ୍‌ ବିଷୟରେ କିଛି ରୋଚକ କଥା…
– ସଂସଦ ଭବନ ପରି ଡିଜାଇନ୍‌ ହୋଇଥିବା ଏହି ସ୍କୁଲ୍‌ର ବାହାର ଅଣ୍ଡାକୃତି (ଓଭାଲ୍‌) ଆକାରର। ଡାଏନା କେଲୋଗ୍‌ ଆର୍କିଟେକ୍‌ ନାମକ ଏକ ନ୍ୟୁୟର୍କ କମ୍ପାନୀ ଏହି ସ୍କୁଲ୍‌ ଡିଜାଇନ୍‌ କରିଛନ୍ତି । ମାଇକେଲ ଡ୍ୟୁବ୍‌ ଏନ୍‌ଜିଓ (ସିଆଇଟିଟିଏ) ଏହାକୁ ନିର୍ମାଣ କରିଛନ୍ତି।
– ଏହି ସ୍କୁଲ୍‌ର ଏପରି ନାମକରଣ କରିବାର ଅର୍ଥ ଛାତ୍ରୀମାନଙ୍କ ମନରେ ଆତ୍ମବିଶ୍ୱାସ ଓ ସାହସ ଦୃଢ଼ କରିବା। ପୌରାଣିକ କାହାଣୀ ଅନୁସାରେ ରତ୍ନାବତୀଙ୍କ ପିତା ମହାରାବଲ ରତ୍ନସିଂହ ଯେତେବେଳେ ରାଜମହଲ ଛାଡ଼ି ଯୁଦ୍ଧ ପାଇଁ ଯାଇଥିଲେ, ସେହି ସମୟରେ ରାଜକୁମାରୀ ହିଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ମୋଗଲ ସମ୍ରାଟ୍‌ ଆଲାଉଦ୍ଦିନ୍‌ ଖିଲିଜୀ ମହଲ ଉପରେ ଆକ୍ରମଣ କରିଥିଲେ। ରାଜକୁମାରୀ ରତ୍ନାବତୀ ଏକା ମୋଗଲ ସେନା ସହ ଲଢ଼ି ସେନାପତି କାଫୁରଙ୍କ ସହ ୧୦୦ ସୈନିକଙ୍କୁ ପରାସ୍ତ କରିଥିଲେ।
– ଏହି ସ୍ଥାନର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍‌ ରହିଥିବା ବେଳେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସ୍କୁଲ୍‌ ଭିତରେ ପିଲାଙ୍କୁ ଗରମ ଅନୁଭୂତ ହୋଇନଥାଏ। କୌଣସି ଏୟାର୍‌ କଣ୍ଡିଶନର ବ୍ୟବସ୍ଥା ନ ଥାଇ ମଧ୍ୟ ପ୍ରଚଣ୍ଡ ଗରମ ଭିତରେ କ୍ଲାସରୁମ୍‌ଗୁଡିକ ଥଣ୍ଡା ଲାଗିଥାଏ। ଏହାକୁ ନିର୍ମାଣ କରିବା ଲାଗି ସେଠାରେ ମିଳୁଥିବା ଏକ ହଳଦିଆ ରଙ୍ଗର ପଥର ବ୍ୟବହାର କରାଯାଇଥାଏ।
– କ୍ଲାସ୍‌ରୁମ୍‌ରେ ଥିବା ଝରକାଗୁଡିକୁ ସାମାନ୍ୟ ଉଚ୍ଚତାଠାରୁ ୬ଫୁଟ୍‌ ଉଚ୍ଚରେ ରଖାଯାଇଛି। ପ୍ରତ୍ୟେକ ରୁମ୍‌ରେ ଭେଣ୍ଟିଲେସନ ବ୍ୟବସ୍ଥା କରାଯାଇଛି। ସୌର ପ୍ୟାନେଲ୍‌ ଦ୍ୱାରା ସ୍କୁଲ୍‌ରେ ବିଦ୍ୟୁତ୍‌ ପରିଚାଳନା କରାଯାଉଛି।
– ରାଜସ୍ଥାନରେ ମହିଳା ସାକ୍ଷରତା ହାର ବଢ଼ାଇବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଛି।
– ଏହି ସ୍କୁଲ୍‌ରେ ଆର୍ଥିକ ଅନଗ୍ରସର ଶ୍ରେଣୀର ବାଳିକାମାନେ ପାଠ ପଢୁଛନ୍ତି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ୪୦୦ ଛାତ୍ରୀ ପାଠ ପଢୁଛନ୍ତି।