Categories: ଜାତୀୟ

ସିଦ୍ଧି ବିନାୟକଙ୍କ ପ୍ରସାଦରେ ମୂଷା

ମୁମ୍ବାଇ, ୨୫ା୯:ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାକୁ ନେଇ ବିବାଦ ଥମି ନ ଥିବା ବେଳେ ଦେଶର ବହୁ କୋଟି ଗଣେଶ ଭକ୍ତଙ୍କ ଆସ୍ଥା କେନ୍ଦ୍ର ଭାବେ ପରିଚିତ ମୁମ୍ବାଇର ସିଦ୍ଧି ବିନାୟକ ଗଣପତି ମନ୍ଦିରର ପ୍ରସାଦ ପ୍ୟାକେଟରେ ମୂଷା ଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏକ ନୀଳ ରଙ୍ଗର ଟ୍ରେରେ ଲଡ଼ୁ ଥିବା ଅନେକ ପ୍ୟାକେଟ ରଖାଯାଇଛି। ଉକ୍ତ ଲଡ଼ୁ ପ୍ୟାକେଟଗୁଡ଼ିକ ମଧ୍ୟରେ ମୂଷା ଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍‌ନାକୁ ଆସିବା ପରେ ସିଦ୍ଧି ବିନାୟକ ମନ୍ଦିରରେ ମିଳୁଥିବା ପ୍ରସାଦର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ତେବେ ଭାଇରାଲ ଭିଡିଓକୁ ଶ୍ରୀ ସିଦ୍ଧି ବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ(ଏସ୍‌ଏସ୍‌ଜିଟି) ପକ୍ଷରୁ ଖଣ୍ଡନ କରାଯାଇଛି। ଉକ୍ତ ଭିଡିଓ ସିଦ୍ଧି ବିନାୟକ ମନ୍ଦିରର ହୋଇ ନ ଥିବା ଟ୍ରଷ୍ଟ କହିଛି। ଘଟଣାକୁ ନେଇ ଏସ୍‌ଏସ୍‌ଜିଟି ଅଧ୍ୟକ୍ଷ ସଦା ସର୍ବନକର କହିଛନ୍ତି, ମନ୍ଦିରରେ ପ୍ରତିଦିନ ଲକ୍ଷାଧିକ ଲଡ଼ୁ ଭକ୍ତଙ୍କୁ ବଣ୍ଟନ କରାଯାଇଥାଏ। ସେଗୁଡ଼ିକୁ ପ୍ରସ୍ତୁତ କରାଯାଉଥିବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖାଯାଇଥାଏ। ଭାଇରାଲ ହେଉଥିବା ଭିଡିଓ କୌଣସି ଅପରିଷ୍କାର ସ୍ଥାନର ହୋଇଥିବା ପରି ଜଣାପଡ଼ୁଛି। ସିଦ୍ଧି ବିନାୟକ ମନ୍ଦିରରେ ଏପରି କୌଣସି ସ୍ଥାନ ନ ଥିବା ସେ କହିଛନ୍ତି। ଭିଡିଓରେ ଦେଖାଯାଉଥିବା ପ୍ୟାକେଟ ଓ ପ୍ରସାଦ ଅନ୍ୟ କୌଣସି ସ୍ଥାନର ହୋଇଥିବା ପରି ଜଣାପଡ଼ୁଛି। ଘଟଣାର ତଦନ୍ତ ଆରମ୍ଭ ହୋଇ ସାରିଛି। ତଦନ୍ତରେ ମନ୍ଦିରରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରାଯିବ ବୋଲି ସର୍ବନକର କହିଛନ୍ତି। ତଦନ୍ତ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଡିସିପି ର଼୍ୟାଙ୍କ୍‌ର ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛି। ଯଦି କେହି ଦୋଷୀ ମିଳିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ଭିଡିଓ କ୍ଲିପ୍‌ କେବେର ତାହା ତଦନ୍ତରୁ ସ୍ପଷ୍ଟ ହେବ। ତେବେ କେହିଜଣେ ଲଡ଼ୁ ଥିବା ପ୍ଲାଷ୍ଟିକ ବ୍ୟାଗ୍‌ଗୁଡ଼ିକ ମଧ୍ୟରେ ମୂଷା ଛାଡ଼ିଦେଇଥିବା ନେଇ ମଧ୍ୟ ସର୍ବନକର ସନ୍ଦେହ ପ୍ରକାଶ କରିଛନ୍ତି। ମନ୍ଦିର ଟ୍ରଷ୍ଟ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ମଧ୍ୟ ହୋଇପାରେ। ପୂର୍ବରୁ ମଧ୍ୟ ବିଭିନ୍ନ ଅସାମାଜିକ ତତ୍ତ୍ୱଙ୍କ ପକ୍ଷରୁ ଏପରି ପ୍ରୟାସ କରାଯାଇଛି। ହିନ୍ଦୁ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସର୍ବନକର କହିଛନ୍ତି। ସିଦ୍ଧି ବିନାୟକ ମନ୍ଦିରରେ ଭକ୍ତମାନଙ୍କୁ ଦିଆଯାଉଥିବା ଲଡ଼ୁରେ ବ୍ୟବହୃତ ଘିଅ, କାଜୁ ଏବଂ ଅନ୍ୟ ସାମଗ୍ରୀ ପ୍ରଥମେ ବ୍ରିହନ୍‌ ମୁମ୍ବାଇ ମୁନିସିପାଲ୍‌ କର୍ପୋରେଶନ୍‌(ବିଏମ୍‌ସି)ର ଲାବୋରେଟୋରିକୁ ପଠାଯାଇଥାଏ। ସେଠାରୁ ଅନୁମୋଦନ ମିଳିବା ପରେ ହିଁ ସେଗୁଡ଼ିକୁ ବ୍ୟବହାର କରାଯାଇ ଭକ୍ତଙ୍କ ପାଇଁ ଲଡ଼ୁ ପ୍ରସ୍ତୁତ ହୋଇଥାଏ। ସିଦ୍ଧି ବିନାୟକ ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥିବା ସର୍ବନକର କହିଛନ୍ତି।

Share