ରାମମନ୍ଦିର ନିର୍ମାଣ ନେଇ ଅଧିକ ଖୁସି ହେଉଛନ୍ତି ରାବଣ

ଫରିଦାବାଦ୍‌, ୨୯।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରିବେ। ଏହି ଅବସରରେ ସାଧୁସନ୍ଥଙ୍କ ସମେତ ପ୍ରାୟ ୨୦୦ଜଣ ଅତିଥି ଯୋଗଦେବେ ବୋଲି କୁହାଯାଉଛି। ତେବେ ରାମମନ୍ଦିର ନିର୍ମାଣ ନେଇ ଫରିଦାବାଦ୍‌‌ର ରାବଣମାନେ ଅଧିକ ଖୁସି ହେଉଛନ୍ତି। ଏହି ରାବଣମାନେ ବିଭିନ୍ନ ରାମଲୀଳା କମିଟିରେ ଅଭିନୟ କରିଥାନ୍ତି। ଏନେଇ ସେକ୍ଟର-୧୫ର ଶ୍ରଦ୍ଧା ରାମଲୀଳା କମିଟିରେ ୧୨ ବର୍ଷ  ଧରି ରାବଣ ଭୂମିକାରେ ଅଭିନୟ କରୁଥିବା ଶ୍ରବଣ ଚାଓ୍ବାଲା କହିଛନ୍ତି, ଶ୍ରୀରାମମନ୍ଦିର ନିର୍ମାଣରେ ଭାରତୀୟ ସମାଜର ଆସ୍ଥା ଓ ବିଶ୍ୱାସ ଜଡ଼ିତ ରହିଛି। ଶ୍ରବଣ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ ବୋଲି କହିଛନ୍ତି। ସେହିପରି ଏନ୍‌ଆଇଟି-୫ର ଶ୍ରୀଧାର୍ମିକ ରାମଲୀଳା କମିଟିରେ ଗତ ୫ ବର୍ଷ ଧରି ରାବଣ ହେଉଥିବା ଆଇନଜୀବୀ ତଜୈନ୍ଦ୍ର ଖରଓ୍ବାଣ୍ଡା କହିଛନ୍ତି, ସେ ଅଗଷ୍ଟ ୫ରେ ଘରେ ଦୀପ ଜଳାଇ ଭୂମି ପୂଜନ ଉତ୍ସବ ପାଳନ କରିବେ। ପ୍ୟାଲି ଛକସ୍ଥିତ କୁମାୟୁଁ ସାଂସ୍କୃତିକ ମଣ୍ଡଳ ରାମଲୀଳା କମିଟିର ଗୋବିନ୍ଦ ସିଂ ବିଷ୍ଟ ଶ୍ରୀରାମଙ୍କ ପ୍ରତି ଥିବା ଆସ୍ଥା ଯୋଗୁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି। ସେହିପରି ଶ୍ରୀ ଅଜରୈନ୍ଦା ରାମଲୀଳା ମଣ୍ଡଳରେ ୨୨ ବର୍ଷ ଧରି ରାବଣ ହେଉଥିବା ଆଇନଜୀବୀ ଠାକୁର ଫୁଲ ସିଂ କହିଛନ୍ତି ସେ ଅଗଷ୍ଟ ୫ରେ ବାଣ ଫୁଟାଇ ଦିଓ୍ବାଲୀ ପାଳନ କରିବେ। ଏବେ ରାବଣମାନଙ୍କୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share