‘ଗୋବିନ୍ଦା ସବୁଠୁ ଶ୍ରେଷ୍ଠ, ଗୋଟିଏ ଦୃଶ୍ୟରେ ସେ କନ୍ଦାଇ ଆଉ ହସାଇ ପାରନ୍ତି ’

ବମ୍ବେ: ନବେ ଦଶକର ହିଟ୍‌ ଯୋଡ଼ି ମଧ୍ୟରୁ ଗୋଟିଏ ଥିଲେ ରବିନା ଟଣ୍ଡନ ଏବଂ ଗୋବିନ୍ଦା। ଉଭୟ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି, ଯେଉଁଥିରେ ଦୁହିଁଙ୍କ କମେଡି ଦର୍ଶକଙ୍କ ମନଛୁଉଁ ଥିଲା। ବିଶେଷକରି ତାଙ୍କର ଡ୍ୟାନ୍ସ ନମ୍ବରଗୁଡ଼ିକ ବାହାବାଃ ସାଉଁଟୁଥିଲା। ଏସବୁ ମଧ୍ୟରେ ରବିନା ଗୋବିନ୍ଦାଙ୍କ ସହ କାମ କରିବାର ଅନୁଭବ ବାଣ୍ଟିଛନ୍ତି। ଏକ ସାକ୍ଷାତକାରରେ ସେ ଗୋବିନ୍ଦାଙ୍କୁ ଜଣେ ପ୍ରତିଭାଶାଳୀ ଅଭିନେତା ବୋଲି କହିଛନ୍ତି।

ଚିଚି(ଗୋବିନ୍ଦା) ହେଉଛନ୍ତି ଏଭଳି ଜଣେ ଅଭିନେତା ଯାହାଙ୍କ ପ୍ରତିଭାକୁ ଫିଲ୍ମରେ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରାଯାଉଥିଲା। ଏବେ ତାହା ହେଉନାହିଁ। ସିନେମାଜଗତରେ ତାଙ୍କ ଭଳି ପ୍ରତିଭା ସମ୍ପନ୍ନ ଅଭିନେତା କେହି ନାହାନ୍ତି। ଗୋଟିଏ ଦୃଶ୍ୟରେ ସେ ଦର୍ଶକଙ୍କୁ ହସାଇ ଏବଂ କନ୍ଦାଇ ପାରନ୍ତି। ସାମାନ୍ୟ ପ୍ରଚେଷ୍ଟାରେ ସେ ଯେକୌଣସି ଦୃଶ୍ୟକୁ ଜୀବନ୍ତ କରିଦିଅନ୍ତି। ତାଙ୍କଠାରୁ ବହୁତ କିଛି ଶିଖିଛି। କେହି ବି ତାଙ୍କ ସହ ସମାନ ନୁହଁ ବୋଲି ରବିନା କହିଛନ୍ତି।

କହିରଖୁଛୁ, ୧୯୯୦ରେ ରବିନା ଏବଂ ଗୋବିନ୍ଦା ଏକାଠି ଅନେକ କମେଡି ଫିଲ୍ମ କରିଥିଲେ। ଏଥିରେ ‘ଦୁଲ୍ହେ ରାଜା, ଆଣ୍ଟି ନମ୍ବର ୧, ସ୍ୟାଣ୍ଡଓ୍ବିଚ୍‌, ଆଖିଓଁସେ ଗୋଲି ମାରେ’ ଭଳି ଫିଲ୍ମ ରହିଛି। ଦୁହେଁ ଶେଷ ଥର ଲାଗି ୨୦୧୯ର ଫିଲ୍ମ ‘ରଙ୍ଗିଲା ରାଜା’ରେ ନଜର ଆସିଥିଲେ।

Share