କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଜନ୍ମସ୍ଥାନରୁ ମାଟି ଗଲା ରେଭେନ୍ସା

ବାଲିପାଟଣା,(ଡି.ଏନ.ଏ)-ରେଭେନ୍ସା କଲେଜ ଇଷ୍ଟ ହଷ୍ଟେଲ ଆଲୁମିନି କମିଟି ପକ୍ଷରୁ ସବୁଜ ଯୁଗର କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବିଶ୍ୱନାଥପୁର ଗ୍ରାମସ୍ଥିତ ଜନ୍ମସ୍ଥାନରୁ ମାଟି ମଙ୍ଗଳବାର ସଂଗ୍ରହ କରାଯାଇ ରେଭେନ୍ସା ଇଷ୍ଟ ହଷ୍ଟେଲକୁ ନିଆଯାଇଛି। ସେହି ହଷ୍ଟେଲର ଅନ୍ତେବାସୀ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନେତୃତ୍ୱରେ ଅନ୍ତେବାସୀମାନେ ଏକ ଶୋଭାଯାତ୍ରାରେ ନାମସଂକୀର୍ଣ୍ଣନ କରି ବିଶ୍ୱନାଥପୁର ଛକ ଥାସରୁ ତାଙ୍କ ଜନ୍ମସ୍ଥାନରେ ପହଞ୍ଚି ଥିଲେ। ହିନ୍ଦୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମାଟି ସଂଗ୍ରହ କରାଯାଇ ଏକ ମାଠିଆରେ ରଖାଯାଇଥିଲା। ପରେ ମନ୍ତ୍ରଧ୍ୱନୀରେ ଜଳଶୁଦ୍ଧି କରି ନିଆଯାଇଛି।
ଇଷ୍ଟ ହଷ୍ଟେଲର ଶତବାର୍ଷିକୀ ପାଳନ ଅବସରରେ ଏହି ପୁଣ୍ୟ ଜନ୍ମପୀଠରୁ ମାଟି ଯାଇ ହଷ୍ଟେଲରେ ସ୍ମୃତି ପାଇଁ ରଖାଯିବ ବୋଲି ଉପସ୍ଥିତ ଅନ୍ତେବାସୀମାନେ ମତ ରଖିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳ କୁହିଥିଲେ ଯେ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିରେ ପାଦଦେଇ ମୋ ଜୀବନ ସାର୍ଥକ ହେଲା। ଏ ଗାଁର ଉନ୍ନତି ପାଇଁ ମୁଁ ମୋ କର୍ତ୍ତବ୍ୟ ସମ୍ପାଦନ କରିବି। ଆଲୁମିନି କମିଟି ସମ୍ପାଦକ ପ୍ରତାପ କୁମାର ମହାନ୍ତି କହିଛନ୍ତି, ଇଷ୍ଟ ହଷ୍ଟେଲର ଶତବାର୍ଷିକ ପାଳନ ଅବସରରେ ‘ସ୍ମୃତିରେ ସଠି ଘର’ କାର୍ଯ୍ୟକ୍ରମ ପାଇଁ କାଳିନ୍ଦୀ ପାଣିଗ୍ରାହୀଙ୍କ ଜନ୍ମସ୍ଥାନ ମାଟି ଯାଇ ସ୍ମୃତି ଉଦ୍ଦେଶ୍ୟରେ ରଖି ପର ପିଢୀଙ୍କୁ ପୂର୍ବଜ ଅନ୍ତେବାସୀମାଙ୍କ କୃତି ସଂପର୍କରେ ଅବଗତ କରାଯିବ। ଛାତ୍ରାବାସ ପ୍ରାଙ୍ଗଣରେ ସ୍ମୃତି ସ୍ତମ୍ଭ ସ୍ଥାପନା କରାଯାଇ ସ୍ମୃତି ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଥିବା କଥା ରେଭେନ୍ସା କଲେଜ ଇଷ୍ଟ ହଷ୍ଟେଲ ପ୍ରାକ୍ତନ ଛାତ୍ର ଶଶାଙ୍କ ଶେଖର ରାଉତ କହିଛନ୍ତି।
ଏହି ମୃତ୍ତିକା ସଂଗ୍ରହ ଅଭିଯାନରେ ସନ୍ତୋଷ ସେଠୀ,ଶୁଭ୍ରାଂଶୁ ମିଶ୍ର,ଅମୃତ ସାହୁ,ସୁମୃତ ଶୁଭ୍ରମାନ ବିଶ୍ୱାଳ, ଦିବ୍ୟରଞ୍ଜନ,ଉମେଶ ଗଦା ନାୟକ ଆଶିଷ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।

Share