୬ ଯାଏ ରେଭେନ୍‌ଶା ଶଟ୍‌ଡାଉନ୍‌

କଟକ ଅଫିସ,୪ା୯:ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟକୁ ବାରମ୍ବାର ବନ୍ଦ କରିବାକୁ ପଡୁଛି। ପୂର୍ବରୁ କୁଳପତିଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଓ ତାଙ୍କ ପରିବାରର ଦୁଇଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ଗତ ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା। ଏହି ବନ୍ଦ ସମୟ ମଧ୍ୟରେ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଇଥିଲା। ମାତ୍ର ବିଶୋଧନ କଲେ ମଧ୍ୟ ସଂକ୍ରମଣକୁ ରୋକା ଯାଇପାରୁନି। ବୁଧବାର ୨ ଜଣ କର୍ମଚାରୀ ଓ ଜଣେ ସିକ୍ୟୁରିଟି ଗାର୍ଡଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ସୁଦ୍ଧା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୨୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share