Categories: ଖେଳ

ଗୋଟିଏ ଝଟ୍‌କାରେ ଶେଷ ହୋଇଥାନ୍ତା ବିଶ୍ନୋଇଙ୍କ କ୍ୟାରିୟର ! ମୁହଁରେ ବାଜିଲା ବଲ୍‌, ଗୋଟିଏ ଇଞ୍ଚରୁ ବଞ୍ଚିଗଲା ଆଖି…

ପାଲେକେଲ୍‌,୨୮।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜେତା ହୋଇଛି। ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ୨୧୩ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ଟିମ୍‌ ୧୭୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତେବେ ଏହି ମ୍ୟାଚ୍‌ରେ ଏଭଳି କିଛି ଘଟିଥିଲା ଯାହାକୁ ଦେଖି ଭାରତୀୟ ପ୍ରଶଂସକଙ୍କ ସହ ଶ୍ରୀଲଙ୍କା ପ୍ରଶଂସକଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଥିଲା।

ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଲେଗ୍‌ ସ୍ପିନର ରବି ବିଶ୍ନୋଇଙ୍କ ମୁହଁରେ ବଲ୍‌ ବାଜିଥିଲା। ସେ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ। ସୌଭାଗ୍ୟବଶତଃ ବଲ୍‌ ତାଙ୍କ ଆଖିରେ ବାଜି ନ ଥିଲା। ନଚେତ ତାଙ୍କ କ୍ୟାରିୟର ଉପରେ ବିପଦ ଦେଖାଯାଇଥାନ୍ତା।

୧୬ ଓଭରରେ ବିଶ୍ନୋଇଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା। ସୂର୍ଯ୍ୟକୁମାର ଯାଦବ ତାଙ୍କୁ ବୋଲିଂ କରିବାକୁ କହିବା ପରେ ପ୍ରଥମ ବଲ୍‌ରେ କାମିଣ୍ଡୁ ମେଣ୍ଡିସଙ୍କ କ୍ୟାଚ୍‌ ନେବାର ସୁଯୋଗ ମିଳିଥିଲା। ବଲ୍‌ ଧରିବା ପାଇଁ ବିଶ୍ନୋଇ ଡାହାଣ ପଟକୁ ଡାଇଭ୍‌ କରିବା ସମୟରେ ବଲ୍‌ ତାଙ୍କ ମୁହଁରେ ବାଜିଥିଲା। ବିଷ୍ଣୁଙ୍କ ହାତରୁ କ୍ୟାଚ୍‌ ଖସିପଡ଼ିବା ସହ ତାଙ୍କୁ ଆଘାତ ଲାଗିଥିଲା। ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତୁରନ୍ତ ଫିଜିଓ ଚିକିତ୍ସା ଲାଗି ମଇଦାନକୁ ଆସିଥିଲେ। ତାଙ୍କ ମୁହଁରେ ବ୍ୟାଣ୍ଡେଜ୍‌ ଲଗାଯାଇଥିଲା। ଏସବୁ ମଧ୍ୟରେ ଯଦି ବଲ୍‌ ବିଶ୍ନୋଇଙ୍କ ମୁହଁରୁ ଗୋଟିଏ ଇଞ୍ଚ ଉପରକୁ ବାଜିଥାନ୍ତା ତେବେ ଆଖିର ବଡ଼ କ୍ଷତି ହୋଇଥାନ୍ତା ବୋଲି କୁହାଯାଉଛି।

ତେବେ ଆହାତ ହେବା ପରେ ବି ବିଶ୍ନୋଇ ବୋଲିଂ ଜାରି ରଖିଥିଲେ। ସେ ସମାନ ଓଭରରେ ଶ୍ରୀଲଙ୍କା ଅଧିନାୟକ ଚାରିଥ ଅସାଲଙ୍କାଙ୍କ ଉଇକେଟ ନେଇ ଟିମ୍‌ ଇଣ୍ଡିଆକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେଇଥିଲେ। ବିଶ୍ନୋଇଙ୍କ ଏହି ଉଇକେଟ ପରେ ଶ୍ରୀଲଙ୍କାର ମଧ୍ୟ ଏବଂ ନିମ୍ନ କ୍ରମର ଖେଳାଳିମାନଙ୍କ ଉଇକେଟ ଯିବାରେ ଲାଗିଥିଲା। ଫଳସ୍ବରୂପ ଟି୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି।

Share