Categories: ଖେଳ

କୋହଲିଙ୍କୁ ଅନ୍ତିମ ଦିନିକିଆ ନ ଖେଳିବାକୁ ପରାମର୍ଶ ଦେଲେ ଶାସ୍ତ୍ରୀ, ଦେଲେ ସଚିନଙ୍କ ଉଦାହରଣ

ନୂଆଦିଲ୍ଲୀ,୨୦।୧: ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ୍‌ ଇଣ୍ଡିଆ। ଉଭୟ ଟିମ୍‌ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଉ ଦୁଇଟି ଦିନିକିଆ ବାକି ରହିଛି। ଜାନୁୟାରୀ ୨୧ରେ ରାୟପୁରରେ ଦ୍ୱିତୀୟ ମୁକାବିଲା ଖେଳାଯିବ। ଏହାପୂର୍ବରୁ ଭାରତର ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ଫର୍ମରେ ଥିବା ବିରାଟ କୋହଲିଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ଶାସ୍ତ୍ରୀ କହିଛନ୍ତି, ବିରାଟଙ୍କୁ ସିରିଜର ତୃତୀୟ ଦିନିକିଆ ଖେଳିବା ବଦଳରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା ଉଚିତ। ଏହାଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଲାଗି ଆତ୍ମବିଶ୍ୱାସ ହାସଲ କରିହେବ। ସେ ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଫର୍ମ ହାସଲ କରିନେଇଛନ୍ତି। ହେଲେ ଟେଷ୍ଟ ମ୍ୟାଚ୍‌ରେ ସେ ବହୁତ ଦିନ ହେଲାଣି ବଡ଼ ଇନିଂସ ଖେଳିନାହାନ୍ତି। ୨୦୧୯ରେ ତାଙ୍କ ବ୍ୟାଟ୍‌ରୁ ଅନ୍ତିମ ଶତକ ଆସିଥିଲା। ନିକଟରେ ବାଲାଂଦେଶ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭାଗ ନେଇଥିଲେ। ଏଥିରେ ତାଙ୍କ ବ୍ୟାଟ୍‌ରୁ ମୋଟ ୪୫ ରନ୍‌ ଆସିଥିଲା ବୋଲି ସେ କହିଛନ୍ତି।

ଯେତେବେଳେ ଭାରତରେ ବହୁତ ଅଧିକ ମ୍ୟାଚ୍‌ ଖେଳିବାକୁ ଥାଏ, ସେତେବେଳେ ଅଧିକ ଫାଷ୍ଟ କ୍ଲାସ୍‌ ମ୍ୟାଚ୍‌ ଖେଳିବା ଉଚିତ। ଶୀର୍ଷ ଖେଳାଳିମାନେ ପର୍ଯ୍ୟାପ୍ତ ଫାଷ୍ଟ କ୍ଲାସ୍‌ କ୍ରିକେଟ ଖେଳନ୍ତି ନାହିଁ। କେବେ କେବେ ଖେଳାଳିଙ୍କୁ ଚାଲାକ ହେବାକୁ ପଡ଼ିବ। ବଡ଼ ଫିଲ୍ମକୁ ଦେଖି କିଛି ମୁକାବିଲା ତ୍ୟାଗ କରିବାକୁ ପଡ଼ିବ। ଏବେ ବଡ଼ ଫିଲ୍ମ ଅଷ୍ଟ୍ରେଲିଆ ଅଟେ। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ନ ଖେଳି ବର୍ଡର ଗାଭାସ୍କର ସିରିଜର ପ୍ରସ୍ତୁତି ଲାଗି ରଣଜୀ ଖେଳିବା ଉଚିତ ବୋଲି କମେଣ୍ଟ୍ରି ସମୟରେ ଶାସ୍ତ୍ରୀ କହିଛନ୍ତି।

ଏହି ପ୍ରସଙ୍ଗରେ ସେ ସଚିନ ତେନ୍ଦୁଲକରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ସଚିନ ୨୫ ବର୍ଷ ପୂର୍ବେ ଏହି ଭଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଗୋଟିଏ ଘରୋଇ ମ୍ୟାଚ୍‌ ଖେଳିବା ନିଷ୍ପତ୍ତି ନେଇଥିଲେ। ଏହା ଫଳପ୍ରଦ ହୋଇଥିଲା। ସେ ଦ୍ୱିଶତକ ମାରିଥିଲେ। ଦୁଇମାସ ପରେ ୧୯୯୮ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ଫର୍ମାଟକୁ ମିଶାଇ ୧୦୦୦ରୁ ଅଧିକ ରନ୍‌ କରିଥିଲେ। ଏହି ଖେଳାଳିଙ୍କୁ ସହଜରେ ଆଉଟ୍‌ କରିବା ଅସମ୍ଭବ ବୋଲି ଅଷ୍ଟ୍ରେଲିଆ ଟିମ୍‌କୁ ଜଣାଥିଲା।

Share