Categories: ଖେଳ

ଶାସ୍ତ୍ରୀ କହିଲେ, ‘ନା..ଏବେ ନୁହେଁ’

ନୂଆଦିଲ୍ଲୀ,୧୧।୬: ଟିମ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଦ୍ରୁତ ବୋଲର୍‌ ଉମ୍ରାନ ମଲିକଙ୍କୁ ନେଇ ଏବ ବଡ଼ ବୟାନ ଦେଇଛନ୍ତି। ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ତାଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯିବା ଉଚିତ ନୁହେଁ। ତାଙ୍କୁ ଏବେ ଅଧିକ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏଣୁ ଏହି ଯୁବ ଖୋଳିଙ୍କୁ ତାଙ୍କ କ୍ୟାରିୟରରେ ବଡ଼ ବ୍ରେକ୍‌ ଦେବା ବହୁତ ଶୀଘ୍ର ହୋଇଯିବ ବୋଲି ଶାସ୍ତ୍ରୀ କହିଛନ୍ତି।

ଆଇପିଏଲ୍‌ ୨୦୨୨ରେ ଉମ୍ରାନ ନିଜର ଦ୍ରୁତ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଥିଲାଗି ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟି୨୦ ସିରିଜରେ ଭାରତୀୟ ଦଳରେ ସୁଯୋଗ ମିଳିଛି। ଶାସ୍ତ୍ରୀ ଏବେ ଉମ୍ରାନଙ୍କୁ ନେଇ କହିଛନ୍ତି,ନା, ଏବେ ଟି-୨୦ରେ ନୁହେଁ। ଉମ୍ରାନଙ୍କୁ ଦଳ ସହ ନିଅନ୍ତୁ, ତାଙ୍କୁ ପ୍ରଶିକ୍ଷଣ ଦେଇ ପ୍ରସ୍ତୁତ କରନ୍ତୁ। ଯଦି ହୋଇପାରେ ତାଙ୍କୁ ୫୦ ଓଭର ନଚେତ ଟେଷ୍ଟ କ୍ରିକେଟରେ ସୁଯୋଗ ଦିଆଯାଉ। ଲାଲ୍‌ ବଲ୍‌ରେ ସେ କିଭଳି ଖେଳୁଛନ୍ତି ତାହା ଉପରେ ଲକ୍ଷ୍ୟ ରଖାଯାଉ ବୋଲି ସେ କହିଛନ୍ତି।

କହିରଖୁଛୁ, ଉମ୍ରାନଙ୍କୁ ଆଇପିଏଲ୍‌ ୨୦୨୨ ନିଲାମ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ରିଟେନ କରିଥିଲା। ଉମ୍ରାନ ଏହି ସିଜନରେ ୧୪ ମ୍ୟାଚ୍‌ ଖେଳି ମୋଟ ୨୨ ଉଇକେଟ ନେଇଛନ୍ତି। ଏଥିରେ ୨୫ ରନ୍‌ ଦେଇ ୫ ଉଇକେଟ ନେବା ଉମ୍ରାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ରେ ତାଙ୍କୁ ସୁଯୋଗ ମିଳି ନ ଥିଲା। ଏଣୁ କଟକ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

Share