Categories: ଖେଳ

ଯାହା ଚାହୁଁଥିଲି ତାହା ହାସଲ କରିସାରିଛି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହାପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି। ଏହି କ୍ରମରେ ଏବେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ବିଶ୍ୱକପ୍‌ ପରେ ନିଜ ପଦ ଛାଡ଼ିବା ନେଇ ସଙ୍କେତ ଦେଇଛନ୍ତି।

ଶାସ୍ତ୍ରୀ ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଯାହା ଚାହୁଁଥିଲି ତାହା ହାସଲ କରିସାରିଛି। ଦୀର୍ଘ ଦିନ ଧରି ଏହି ପଦରେ ରହିଥିଲି। ଏବେ ମୁଁ ଆଉ ସେହି ଜାଗାରେ ରହିପାରିବି ନାହିଁ। ପାଞ୍ଚ ବର୍ଷ ଯାଏ ଟେଷ୍ଟରେ ଶୀର୍ଷ ସ୍ଥାନ, ଦୁଇଥର ଅଷ୍ଟ୍ରେଲିଆକୁ ତାର ଦେଶରେ ହରାଇବା, ଇଂଲଣ୍ଡରେ ଜିତିବା ଆଦି ମୋ’ କାର୍ଯ୍ୟକାଳ ସମୟରେ ହୋଇଛି। ଆମେ ପ୍ରତ୍ୟେକ ଦେଶକୁ ହ୍ବାଇଟ୍‌ ବଲ କ୍ରିକେଟରେ ତାଙ୍କ ଦେଶରେ ହରାଇଛୁ। ମୋ ପାଇଁ ଏତିକି ବହୁତ। ଯଦି ଆମେ ଟି୨୦ ବିଶ୍ୱକପ୍‌ ଜିତିଯାଉ ତେବେ ସେହି ଗୋଟିଏ କଥା ରହିଯାଇଛି। ଏସବୁ ଦେଖିଲେ ମୁଁ ସବୁକିଛି ହାସଲ କରିସାରିଛି ବୋଲି ମନେ ହେଉଛି।

କହିରଖୁଛୁ, ଏହି ବିଶ୍ୱକପ୍‌ ପରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଣୁ ବିସିସିଆ ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ ସେ ନେଇ ଚିନ୍ତା କରୁଛି। ପୁଣିଥରେ ଅନିଲ କୁମ୍ବଲେ ଦଳର କୋଚ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କ ବ୍ୟତିତ ଭିଭିଏସ୍‌ ଲକ୍ଷ୍ମଣଙ୍କ ନାମ ମଧ୍ୟ ବିଚାର କରାଯାଉଛି।