Categories: ଖେଳ

ଶାସ୍ତ୍ରୀଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି ଏହି ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନୂଆ କରି ସାମିଲ ହୋଇଥିବା ଅହମ୍ମଦାବାଦ୍‌ ଫ୍ରାଞ୍ଚାଇଜ ସମ୍ଭବତଃ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ଚୁକ୍ତି କରିପାରେ। ଚଳିତ ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ସହ ଶାସ୍ତ୍ରୀଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି। ଶାସ୍ତ୍ରୀଙ୍କ ସହ ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧରଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। କ୍ରିକ୍‌ବଜରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଶାସ୍ତ୍ରୀଙ୍କୁ ଅହମ୍ମଦାବାଦ୍‌ ଫ୍ରାଞ୍ଚାଇଜ ପକ୍ଷରୁ ମୁଖ୍ୟ କୋଚ୍‌ ଦାୟିତ୍ୱ ପାଇଁ ପସ୍ତାବ ଦିଆଯାଇଛି।

ତେବେ ଚଳିତ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଭାରତୀୟ ଦଳର କୋଚ୍‌ ଉକ୍ତ ପ୍ରସ୍ତାବ ଉପରେ ଚିନ୍ତା କରିବେ। ବର୍ତ୍ତମାନ ସେ କୌଣସି ପ୍ରକାର ବିଭ୍ରାଟ ଚାହୁଁ ନାହାନ୍ତି। ଯଦି ପୂର୍ବତନ ଭାରତୀୟ କ୍ରିକେଟର ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଭରତ ଅରୁଣ ଓ ଆର. ଶ୍ରୀଧର ତାଙ୍କୁ ସହାୟତା କରିବେ।

Share