ନୂଆଦିଲ୍ଲୀ,୧୫।୧୧: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଆଉ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଲିଜେଣ୍ଡସ ଲିଗ କ୍ରିକେଟ(ଏଲଏଲସି)ରେ ଯୋଗ ଦେଇଛନ୍ତି। ଟି -୨୦ ବିଶ୍ୱକପ ୨୦୨୧ ରେ ଭାରତ ଅଭିଯାନର ସମାପ୍ତି ସହିତ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ସେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଘୋଷଣା କରିଥିଲେ ଯେ ପୁନର୍ବାର କୋଚ ପଦ ପାଇଁ ଆବେଦନ କରିବେ ନାହିଁ । ଶାସ୍ତ୍ରୀଙ୍କୁ ଆସନ୍ତା ବର୍ଷ ଜାନୁୟାରୀରୁ ଆରମ୍ଭ ହେବାକୁ ଥିବା ଅବସରପ୍ରାପ୍ତ ଖେଳାଳିଙ୍କ ଲିଜେଣ୍ଡସ ଲିଗ କ୍ରିକେଟର କମିଶନର ଭାବରେ ନିଯୁକ୍ତ କରାଯାଇଛି। ଲିଗର ପ୍ରଥମ ସିଜନ ଆସନ୍ତା ବର୍ଷ ଜାନୁଆରୀରେ ଏକ ଗଲ୍ଫ ଦେଶରେ ଖେଳାଯିବ। ଶାସ୍ତ୍ରୀ କହିଛନ୍ତି, କ୍ରିକେଟ ସହିତ ଜଡିତ ହେବା ଭଲ ଲାଗେ, ବିଶେଷକରି ଖେଳର ଚାମ୍ପିୟନ୍ଙ୍କ ସହିତ ଭେଟିବା ଏକ ଭିନ୍ନ ଅନୁଭୂତି। ଏହି ଲିଗରେ ଖେଳୁଥିବା ଭେଟେରାନ ଖେଳାଳିମାନେ କିଛି ପ୍ରମାଣ କରିବାକୁ ଚାହାଁନ୍ତି ନାହିଁ, ତଥାପି ଏହି ଲିଗରେ ସେମାନଙ୍କର ପ୍ରତିଷ୍ଠା ବିପଦରେ ରହିବ। ପୂର୍ବତନ ଭାରତୀୟ ପ୍ରଶିକ୍ଷକ କହିଛନ୍ତି ଯେ ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ, ସେମାନେ ଏହାକୁ କିପରି ନ୍ୟାୟ ଦିଅନ୍ତି ତାହା ଦେଖିବା ମଜାଦାର ହେବ। ଏହି ଲିଗର ଅଂଶ ହୋଇଥିବାରୁ ମୁଁ ବହୁତ ଉତ୍ସାହିତ ଅଛି। ଏହି ଲିଗ ମଧ୍ୟ ବହୁତ ମଜାଦାର ହେବ ବୋଲି ସେ କହିଛନ୍ତି।
ଭାରତ, ପାକିସ୍ଥାନ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡର ପୂର୍ବତନ କ୍ରିକେଟରମାନେ ଏହି ଲିଗରେ ନଜର ଆସିବେ। ପୂର୍ବତନ ଭାରତୀୟ ଦଳର ଫିଜିଓଥେରାପିଷ୍ଟ ଆଣ୍ଡ୍ରିୟୁ ଲିପସ ନିର୍ଦ୍ଦେଶକ (କ୍ରୀଡା ବିଜ୍ଞାନ) ଭାବରେ ଏହି ଲିଗ ସହିତ ଜଡିତ ରହିବେ।