Categories: ଖେଳ

ରେକର୍ଡଠୁ ହାତେ ଦୂରରେ ଅଶ୍ୱିନ

କାନପୁର,୨୪।୧୧: ଏଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପାଖରେ ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇବା ପାଇଁ ସୁଯୋଗ ଅଛି। ଏବେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ଅଶ୍ୱିନ ୪ର୍ଥ ସ୍ଥାନରେ ଅଛନ୍ତି। ହରଭଜନଙ୍କ ପାଖରେ ୪୧୭ ଉଇକେଟ ଥିବା ବେଳେ ଅଶ୍ୱିନଙ୍କ ପାଖରେ ଅଛି ୪୧୩ ଉଇକେଟ। ଏଣୁ ହରଭଜନଙ୍କୁ ପଛରେ ପକାଇବା ପାଇଁ ଅଶ୍ୱିନଙ୍କୁ ମାତ୍ର ୫ ଉଇକେଟ ଦରକାର। ଘରୋଇ ମାଟିରେ ଅଶ୍ୱିନଙ୍କ ରେକର୍ଡକୁ ଦେଖିଲେ, ସେ ଅତି ସହଜରେ ଭଜିଙ୍କୁ ପଛରେ ପକାଇଦେବେ।

କ୍ରିକେଟର ଲମ୍ବା ଫର୍ମାଟରେ ଭାରତୀୟ ବୋଲର ଭାବେ ସର୍ବାଧିକ ଉଇକେଟ ନେବାର ରେକର୍ଡ ଏବେ ମଧ୍ୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କ ନାମରେ ଅଛି। ସେ ସର୍ବାଧିକ ୬୩୨ ଉଇକେଟ ନେଇଛନ୍ତି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବ (୪୩୪ ଉଇକେଟ)।

ଏହାବାଦ୍‌ ଅଶ୍ୱିନଙ୍କ ପାଖରେ କୁମ୍ବଲେଙ୍କ ଅନ୍ୟ ଏକ ରେକର୍ଡର ସମକକ୍ଷ ହେବାର ସୁଯୋଗ ମଧ୍ୟ ଅଛି। ଅଶ୍ୱିନ ଏପର୍ଯ୍ୟନ୍ତ ଟେଷ୍ଟରେ ୭ ଥର ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ପାଇଥିବା ବେଳେ କୁମ୍ବଲେ ୮ ଥର ୧୦ ଉଇକେଟ ଅର୍ଜନ କରିଥିଲେ। ଏହି ତାଲିକା ଶୀର୍ଷରେ ଅଛନ୍ତି ଶ୍ରୀଲଙ୍କାର ମୁଥିଆ ମୁରଲିଧରଣ। ସେ ସର୍ବାଧିକ ୨୨ ଥର ୧୦ ଉଇକେଟ ସଫଳତା ପାଇଥିଲେ।

Share