Categories: ଖେଳ

ନାଗପୁର ମଇଦାନରେ ଏକାଧିକ ରେକର୍ଡ: କୁମ୍ବଲେ-ହରଭଜନଙ୍କୁ ଟପିଲେ ଅଶ୍ୱିନ…

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଚମକିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ସେ ଚମତ୍କାର ବୋଲିଂ କରି ପ୍ରାୟ ଅଧା କଙ୍ଗାରୁ ଟିମକୁ ବିଦା କରିଥିଲେ। ୧୨ ଓଭରରେ ୩୭ରନ୍‌ ଦେଇ ସେ ୫ ଉଇକେଟ ନେଇଥିଲେ। ଏବେ ଏହି ପ୍ରଦର୍ଶନକୁ ନେଇ ସେ ଅନେକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।

ଅଶ୍ୱିନ ଟେଷ୍ଟର ପ୍ରଥମ ଇନିଂସରେ ୩ ଉଇକେଟ ନେଇଥିଲେ। ସେହିଭଳି ଦ୍ୱିତୀୟ ଇନିଂସରେ ସେ ୫ ଉଇକେଟ ନେଇ ମ୍ୟାଚ୍‌ରେ ମୋଟ ୮ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଏହି ପ୍ରଦର୍ଶନ ପରେ ସେ ଟେଷ୍ଟ କ୍ରିକେଟରେ ବିଜୟରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଭାରତୀୟ ବୋଲର୍‌ ପାଲଟିଛନ୍ତି।

ଅଶ୍ୱିନ ନିଜର ଟେଷ୍ଟ କ୍ୟାରିୟରର ୩୧ତମ ଇନିଂସରେ ୫ ଉଇକେଟ ନେଇଛନ୍ତି। ଏଥିସହ ସେ ଭାରତ ପାଇଁ ଖେଳି ଗୋଟିଏ ଇନିଂସରେ ସର୍ବାଧିକ ୫ ନଚେତ ତା’ଠାରୁ ଅଧିକ ଉଇକେଟ ନେବା ମାମଲାରେ ଅନିଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। କୁମ୍ବଲେ ନିଜ କ୍ୟାରିୟରରେ ୩୧ ଥର ଏଭଳି କରିଥିଲେ।

ସେହିଭଳି ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ହରଭଜନ ସିଂଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। କୁମ୍ବଲେ ଏହି ତାଲିକାର ଶୀର୍ଷରେ ଅଛନ୍ତି। ଅଶ୍ୱିନ ୧୯ ଟେଷ୍ଟର ୩୬ ଇନିଂସରେ ୯୭ ଉଇକେଟ ନିଜ ନାମରେ କରିଛନ୍ତି।

Share