Categories: ଖେଳ

ଚିନ୍ତାରେ ଭାରତୀୟ ଟିମ୍‌: ପନ୍ତଙ୍କ ପରେ ଜାଡେଜା ଗଲେ ଡାକ୍ତରଖାନା

ସିଡନୀ,୯।୧: ଭାରତୀୟ ଦଳ ପାଇଁ ଗୋଟିଏ ପରେ ଗୋଟିଏ ଖରାପ ଖବର ଆସିବାରେ ଲାଗିଛି। ଷ୍ଟାର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିବା ପରେ ସ୍କାନ ପାଇଁ ଡାକ୍ତରଖାନା ନିଆଯାଇଛି। ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କୁ ସ୍କାନ ପାଇଁ ନିଆଯାଇଥିଲା। ତେବେ ୩୨ ବର୍ଷୀୟ ଜାଡେଜାଙ୍କୁ ମାଇକେଲ ଷ୍ଟାର୍କଙ୍କ ଶଟ୍‌ବଲ୍‌କୁ ଖେଳିବାକୁ ଯାଇ ଆଘାତ ଲାଗିଥିଲା। ହେଲେ ସେ ଖେଳ ଜାରି ରଖିଥିବା ବେଳେ ୨୮ ରନ୍‌ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆର ୩୩୮ରନ୍‌ ଜବାବରେ ଭାରତୀୟ ଟିମ୍‌ ପ୍ରଥମ ପାଳିରେ ୨୪୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଏହାପରେ ଦ୍ୱିତୀୟ ପାଳି ଖେଳ ଚାଲିଥିବା ବେଳେ ଭାରତର ଦୁଇ ଆହତ ଖେଳାଳି ପଡ଼ିଆକୁ ଆସିନାହାନ୍ତି। ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ ଶାହା ଉଇକେଟକିପିଂ କରୁଛନ୍ତି। ସେହିଭଳି ଜାଡେଜାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲ୍‌ ଫିଲ୍ଡିଂ କରୁଥିବା ଦେଖାଯାଇଛି।

ପ୍ରକାଶ ଯେ, ମହମ୍ମଦ ଶାମି ଏବଂ ଉମେଶ ଯାଦବ ଆହତ ସମସ୍ୟାକୁ ନେଇ ଚଳିତ ସିରିଜ୍‌ରୁ ବାହାର ହୋଇଛନ୍ତି। ଏବେ ଆଉ ଦୁଇ ଖେଳାଳି ଆହତ ହେବା ପରେ ଟିମ୍‌ର ଚିନ୍ତା ବଢ଼ିଛି। ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ଜାଡେଜା ଭଲ ବୋଲିଂ କରିଥିଲେ। ସେ ୪ଟି ଉଇକେଟ ନେଇଥିଲେ। ହେଲେ ଦ୍ୱିତୀୟ ପାଳିରେ ସେ ଆହତ ହୋଇ ଡାକ୍ତରଖଶନାରେ ଭର୍ତ୍ତି ହୋଇଛନ୍ତି।

Share