Categories: ଖେଳ

‘ମୋ ପାଖରେ ମଧ୍ୟ କହିବାକୁ ବହୁତ କିଛି ଅଛି’, ପିତାଙ୍କ ଅଭିଯୋଗକୁ ଭୁଲ ବୋଲି କହିଲେ ଜାଡେଜା

ନୂଆଦିଲ୍ଲୀ,୧୦।୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବେ ଚର୍ଚ୍ଚାରେ ରହିଛନ୍ତି। କ୍ରିକେଟ ଯୋଗୁ ନୁହେଁ ବରଂ ଘରୋଇ କଳହ ହେତୁ ଜାଡେଜା ଚର୍ଚ୍ଚାରେ ଅଛନ୍ତି। ବାସ୍ତବରେ, ଶୁକ୍ରବାର ଜାଡେଜାଙ୍କ ପିତା ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ପୁଅ ରବୀନ୍ଦ୍ର ଜାଡେଜା ଏବଂ ବୋହୂ ରିବାବାଙ୍କ ସହ ତାଙ୍କର ଆଉ କୌଣସି ସମ୍ପର୍କ ନାହିଁ। ସେ ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ଜାଡେଜାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥଇଲେ। ତେବେ ଜାଡେଜା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ରବିନ୍ଦ୍ର ଜାଡେଜାଙ୍କ ବିଷୟରେ ତାଙ୍କ ପିତା ଅନିରୁଦ୍ଧ ସିଂ ଦେଇଥିବା ବିବୃତ୍ତି ଆଶ୍ଚର୍ଯ୍ୟଜନକ ଅଟେ। ସେ କହିଛନ୍ତି, ରବିନ୍ଦ୍ର ଏବଂ ତାଙ୍କ ପତ୍ନୀ ରିବାବାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ରବିନ୍ଦ୍ର ଜାଡେଜା ତାଙ୍କ ପିତାଙ୍କ ବକ୍ତବ୍ୟକୁ ନିରର୍ଥକ ବୋଲି କହିଛନ୍ତି। ତାଙ୍କ ପତ୍ନୀଙ୍କ ସମର୍ଥନରେ ସେ ଏକ ବଡ଼ ବିବୃତ୍ତି ମଧ୍ୟ ଦେଇଛନ୍ତି।

ରବିନ୍ଦ୍ର ଜାଡେଜା କହିଛନ୍ତି, ସାକ୍ଷାତକାରରେ ବାପାଙ୍କ ଦ୍ୱାରା କୁହାଯାଇଥିବା ସବୁକିଛି ଭୁଲ ଏବଂ ଅର୍ଥହୀନ। ସେ କାହାଣୀର କେବଳ ଗୋଟିଏ ପାର୍ଶ୍ୱ ଦେଇଛନ୍ତି, ଯାହାକୁ ମୁଁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରୁଛି। ମୋ ପତ୍ନୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ମୋର ମଧ୍ୟ ବହୁତ କିଛି କହିବାକୁ ଅଛି, କିନ୍ତୁ ଯଦି ମୁଁ ସର୍ବସାଧାରଣରେ କିଛି ନ କହିବି ଭଲ ।

Share