Categories: ଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଜାଡେଜା; ଦେଖାଇଥିଲେ ଫିଲ୍ଡିଂରେ…

ନୂଆଦିଲ୍ଲୀ,୧୭।୪: ଆଇପିଏଲ୍‌-୨୦୨୧ର ଶୁକ୍ରବାର ଅନୁଷ୍ଠିତ କିଙ୍ଗ୍ସ ଲଢ଼େଇରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ପଞ୍ଜାବ ଟିମ୍‌। ଦଳରେ କେ.ଏଲ୍‌ ରାହୁଲ ଏବଂ କ୍ରିସ ଗେଲଙ୍କ ଭଳି ଧୁଆଁଧାର ବ୍ୟାଟ୍ସମ୍ୟାନ ଥିବାରୁ ବଡ ସ୍କୋର ଆଶା କରାଯାଉଥିଲା। ହେଲେ ଦୁନିଆର ସର୍ବଶ୍ରେଷ୍ଠ ଫିଲ୍ଡରଙ୍କ ମଧ୍ୟରେ ସାମିଲ ରବିନ୍ଦ୍ର ଜାଡେଜାଙ୍କ ଯୋଗୁ ତାହା ହୋଇପାରି ନ ଥିଲା। କାରଣ ଜାଡେଜା ଉଭୟଙ୍କୁ ପ୍ୟାଭିଲିୟନ ଫେରାଇଥିଲେ।

ମ୍ୟାଚ୍‌ ବେଳେ ଦୀପକ ଚହର ପଞ୍ଜାବ ଟିମ୍‌ର ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ଶୂନରେ ଆଉଟ୍‌ କରିବା ପରେ କେ.ଏଲ୍‌ ରାହୁଲଙ୍କ ଉପରେ ଆଶା ରହିଥିଲା। ମାତ୍ର ତୃତୀୟ ଓଭରର ୫ମ ବଲ୍‌ରେ ଜାଡେଜା ରାହୁଲଙ୍କୁ ରନ୍‌ଆଉଟ୍‌ କରି ପଞ୍ଜାବକୁ ଆଉ ଏକ ଝଟକା ଦେଇଥିଲେ। ପରେ ପଞ୍ଚମ ଓଭରରେ ପୁଣି ଥରେ ଜାଡେଜା ନିଜର ଫିଲ୍ଡିଂର ଦମ୍‌ ଦେଖାଇଥିଲେ। ସେ ଚହରଙ୍କ ବଲ୍‌ରେ ସୁନ୍ଦର ଡାଇଭ୍‌ ମାରି ଗେଲ୍‌ଙ୍କ କ୍ୟାଚ୍‌ ଧରିଥିଲେ।

ଏଥିସହ ଜାଡେଜା ନିଜ ଟିମ୍‌ର ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ରେକର୍ଡ ଭାଙ୍ଗିଥିଲେ। ସେ ରାହୁଲଙ୍କୁ ରନ୍‌ଆଉଟ୍‌ କରିଥିଲେ। ଏହା ଆଇପିଏଲ୍‌ ଇତିହାସରେ ତାଙ୍କର ୨୨ତମ ରନ୍‌ଆଉଟ୍‌ ଥିଲା। ଏହି ମାମଲାରେ ସେ ଧୋନୀ(୨୧ ରନ୍‌ଆଉଟ୍‌)ର ରେକର୍ଡକୁ ଭାଙ୍ଗିଛନ୍ତି।

Share