Categories: ଖେଳ

ଟପ୍‌ ୧୦ରେ ରବୀନ୍ଦ୍ର ଜାଡେଜା

ଦୁବାଇ, ୨୩ା୨(ପି.ଟି.): ଆଇସିସି ପୁରୁଷ ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ ତାଲିକା ଏଠାରେ ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଛନ୍ତି। ରବୀନ୍ଦ୍ର ଜାଡେଜା ୭ ସ୍ଥାନ ଡେଇଁ ଟପ୍‌ ୧୦ ବୋଲର ମଧ୍ୟରେ ସ୍ଥାନ ପାଇଛନ୍ତି। ନୂଆଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୦ ଉଇକେଟ ସଫଳତା ପାଇଁ ଜାଡେଜା ୯ମ ସ୍ଥାନରେ ପହଞ୍ଚତ୍ଛନ୍ତି। ୨୦୧୯ ସେପ୍ଟେମ୍ବର ପରେ ସେ ପ୍ରଥମ ଥର ଟପ୍‌-୧୦ ବୋଲରଙ୍କ ସ୍ଥାନରେ ସ୍ଥାନ ପାଇଛନ୍ତି। ଆଘାତପ୍ରାପ୍ତ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ଅନ୍ୟ ଭାରତୀୟ ବୋଲର ଭାବେ ଟପ୍‌ ୧୦ରେ ୫ମ ସ୍ଥାନରେ ଅଛନ୍ତି। ଭେଟେରାନ ଇଂଲଣ୍ଡ ସିମ୍‌ ବୋଲର ଜେମ୍ସ ଆଣ୍ଡରସନ ତାଲିକାର ଶୀର୍ଷରେ ରହିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କୁମିନ୍ସ ଦୁଇ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ଅଛନ୍ତି। ଅକ୍ଷର ପଟେଲ ଟପ୍‌ ୫ ଅଲରାଉଣ୍ଡର ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଶୀର୍ଷରେ ଜାଡେଜା ଓ ଅଶ୍ୱିନ ରହିଛନ୍ତି। ଟେଷ୍ଟ ବ୍ୟାଟର ତାଲିକାରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ପଛକୁ ପଛ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଷ୍ଟିଭ୍‌ ସ୍ମିଥ୍‌ ଓ ପାକିସ୍ତାନ ଅଧିନାୟକ ବାବର ଆଜାମ ରହିଛନ୍ତି। କାର ଦୁର୍ଘଟଣାରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଖେଳରୁ ଦୂରେଇ ଯାଇଥିବା ଭାରତର ରିଷଭ ପନ୍ତ ତାଙ୍କ ୬ଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ଅଧିନାୟକ ରୋହିତ ଶର୍ମା ପୂର୍ବ ଭଳି ୭ମ ସ୍ଥାନରେ ଅଛନ୍ତି।

Share