Categories: ଖେଳ

ଦିନିକିଆରେ ଜାଡେଜାଙ୍କ କ୍ୟାରିୟର ଉପରେ ଗ୍ରହଣ ! ଅନୁଭବୀ ସତ୍ତ୍ୱେ ଦଳରେ ସୁଯୋଗ ମିଳି ନ ପାରେ…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଏହି ସିରିଜରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଥିବା ବେଳେ ଟି୨୦ରୁ ସନ୍ନ୍ୟାସ ନେଇଥିବା ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦିଆଯାଇନାହିଁ। ତାଙ୍କ ସ୍ଥାନରେ ଦଳରେ ଅକ୍ଷର ପଟେଲ ଏବଂ ଓ୍ବାଶିଂଟନ ସୁନ୍ଦର ସ୍ଥାନ ପାଇଛନ୍ତି। ଏହାପରେ ଜାଡେଜାଙ୍କ ଦିନିକିଆ ଫର୍ମାଟରେ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜାଡେଜାଙ୍କୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଚୟନ କରାଯାଇନାହିଁ, ହେଲେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସୁଯୋଗ ମିଳିଛି। ଏହାଛଡ଼ା ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି। ହେଲେ ଜାଡେଜାଙ୍କ ମାମଲା ବୁମ୍‌ରାଙ୍କଠାରୁ ଭିନ୍ନ ରହିଛି।

ବୁମ୍‌ରାଙ୍କୁ ସୁଯୋଗ ମିଳିବାର କାରଣ ହେଉଛି ଚୟନକର୍ତ୍ତା ଭାରତର ସର୍ବଶ୍ରେଷ୍ଠ ଅଲ୍‌ ଫର୍ମାଟ ବୋଲରଙ୍କୁ ଟେଷ୍ଟ ପାଇଁ ଫ୍ରେଶ ରଖିବାକୁ ଚାହୁଁଛନ୍ତି। ପାଣ୍ଡ୍ୟା କିନ୍ତୁ ବ୍ୟକ୍ତିଗତ କାରଣରୁ ବ୍ରେକ୍‌ ନେଇଛନ୍ତି। ରୋହିତ ଏବଂ କୋହଲି ଶ୍ରୀଲଙ୍କା ସିରିଜରୁ ବ୍ରେକ୍‌ ମାଗିଥିଲେ ହେଁ ଗମ୍ଭୀର କିନ୍ତୁ ବରିଷ୍ଠ ଖେଳାଳିଙ୍କ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଦିନିକିଆ ଲାଗି ଉପଲବ୍ଧ ରହିବାକୁ ଚାହୁଁଥିଲେ। ଏଣୁ ସେମାନେ ଦଳରେ ଯୋଡ଼ି ହୋଇଛନ୍ତି।

ଜାଡେଜା ୧୯୭ ଦିନିକିଆ ଖେଳିଛନ୍ତି। ହେଲେ ଏବେ ଦଳ ତାଙ୍କୁ ନେବାକୁ ଚାହୁଁନାହିଁ। ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ଏହାପୂର୍ବରୁ ଶ୍ରୀଲଙ୍କାରେ ହେବାକୁ ଥିବା ୩ ଦିନିକିଆ ସହ କେବଳ ୬ ଦିନିକିଆ ହେବାକୁ ରହିଛି। ଚୟନକର୍ତ୍ତା ଅକ୍ଷର ଏବଂ ଓ୍ବାଶିଂଟନଙ୍କୁ ସୁଯୋଗ ଦେଇ ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛନ୍ତି। ଜାଡେଜାଙ୍କ ପ୍ରଦର୍ଶନ ଖରାପ ନାହିଁ ହେଲେ ଚୟନ କମିଟି ଭବିଷ୍ୟତକୁ ଦେଖୁଛି। ଏଣୁ ଜାଡେଜାଙ୍କ ଦିନିକିଆ କ୍ୟାରିୟର ବିପଦରେ ବୋଲି ଚର୍ଚ୍ଚା ବଢ଼ିଛି। ଏପରିକି ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଖେଳିବାକୁ ସୁଯୋଗ ନ ମିଳିପାରେ ବୋଲି କୁହାଯାଉଛି। ହେଲେ ଏସବୁ ଆଗାମୀ ଦିନରେ ସ୍ପଷ୍ଟ ହେବ।

Share