କଟକ ଅଫିସ,୬।୧୦: କଟକ ମହାନଗର ନିଗମ (ସିଏମ୍ସି) ବୁଧବାର ଅଟୋରେ ଯାଉଥିବା ୧୦ ପେଟି ପଚା ଅଣ୍ଡା ଜବତ କରିଛି। ଏହି ଅଣ୍ଡାକୁ ପାଉଁରୁଟି, କେକ ତିଆରି ପାଇ ଏକ ବେକରି ଫ୍ୟାକ୍ଟ୍ରିକୁ ନିଆଯାଉଥିବା ଜଣାପଡ଼ିଛି। ଯେଉଁ ଗାଡ଼ିରେ ଏହା ନିଆଯାଉଥିଲା ଉକ୍ତଗାଡ଼ିକୁ ସିଏମ୍ସି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।
ସକାଳେ ଆଠଗଡ଼ ବାଳି ଅଞ୍ଚଳରୁ ଏକ ଅଟୋ ଯୋଗେ ୧୦ ପେଟି ପଚାଅଣ୍ଡା ସାଆନ୍ତ ସାହିରେ ଥିବା ଏକ ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ କରାଯାଉଥିବା ସିଏମ୍ସି ଖବର ପାଇଥିଲା। ଏହି ସମୟରେ ପୂର୍ବରୁ ରହିଥିବା ସିଏମ୍ସି ଟିମ କଟକରେ ଅଣ୍ଡା ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା। କିଛି ଅଣ୍ଡାରୁ ମଧ୍ୟ କୁକୁଡ଼ା ଛୁଆ ବାହାରିଥିବା ଦେଖିବାକୁ ମିଳିଥିଲା। ଗାଡ଼ିରେ ୧୦ପେଟିରେ ୨୪୦୦ ପଚା ଅଣ୍ଡା ଥିଲା।