ରାୟଗଡ଼ା, କେନ୍ଦ୍ରାପଡ଼ାରେ କରୋନା ନେଲା ମୁଣ୍ଡ

ଭୁବନେଶ୍ୱର, ୮।୭(ବ୍ୟୁରୋ): ବୁଧବାର ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧, ରାୟଗଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୧ ଥିବାବେଳେ ଗଞ୍ଜାମ ଜିଲାରୁ ୩ ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ତେବେ କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ। ଉଭୟ ହେଉଛନ୍ତି ପୁରୁଷ। କେନ୍ଦ୍ରାପଡ଼ାରୁ ମୃତ ବ୍ୟକ୍ତିଙ୍କ ବୟସ ହେଉଛି ୪୯। ସେ ଡାଇବେଟିସ୍‌ ରୋଗରେ ପୀଡିତ ଥିଲେ। ସେହିଭଳି ରାୟଗଡ଼ାରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ଶ୍ୱାସ ଜନିତ ରୋଗରେ ପୀଡିତ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ମୋଟ ୪୮ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୭ଜଣ ରହିଛନ୍ତି। ଖୋର୍ଦ୍ଧାରୁ ୮, କଟକରୁ ୫ ଓ ବରଗଡ଼, ସୁନ୍ଦରଗଡ଼, ଅନୁଗୋଳ, ପୁରୀ, ଯାଜପୁର, ରାୟଗଡ଼ା, କେନ୍ଦ୍ରାପଡ଼ା ଏବଂ ଗଜପତିରୁ ଜଣେ ଲେଖାଏ ରହିଛନ୍ତି।

Share