ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ଦୁଇ ଟାଣୁଆ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ଏମ୍ପି ସପ୍ତଗିରି ଉଲାକାଙ୍କ ମଧ୍ୟରେ ଲାଗିଥିବା ବିବାଦ ଦିଲୀରେ ପହଞ୍ଚିଛି। କୋରାପୁଟ ଜିଲା ଓ ରାୟଗଡ଼ା ଜିଲାର ତାରାଙ୍କ ସମର୍ଥକମାନେ ମଙ୍ଗଳବାର ଅପରାହ୍ନ ୧୨.୩୦ଟାରେ ସମତା ଟ୍ରେନରେ ଦିଲୀ ଅଭିମୁଖେ ବାହାରିଛନ୍ତି ା ତେବେ ସେମାନେ ଦଳର ହାଇକମାଣ୍ଡକୁ ଭେଟିବାକୁ ଯାଉଥିବା ସୂଚନା ମିଳିଛି ା ଯାହା ଅବିଭକ୍ତ କୋରାପୁଟ ଜିଲାରେ କଂଗ୍ରେସର ଭବିଷ୍ୟତକୁ ନେଇ ଚିନ୍ତାରେ ପକାଇଛି ା
ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ରାୟଗଡ଼ା ଜିଲାର ୧୦ରୁ ଊର୍ଦ୍ଧ୍ୱ ଯୁବନେତା ଦିଲୀ ଅଭିମୁଖେ ବାହାରିଥିବାବେଳେ ଜୟପୁର ବିଧାୟକ ତଥା କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କୋରାପୁଟ ଲୋକ ସଭା କ୍ଷେତ୍ରର ପୂର୍ବତନ ଯୁବ ସଭାପତି ଭବାନୀ ଶଙ୍କର ଜେନା, କୋରାପୁଟ ଜିଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ, ୧୩ଜଣ ଜିଲା ପରିଷଦ ସଭ୍ୟାସଭ୍ୟ, ୧୨ ବ୍ଲକ ସଭାପତି, ୨ ବ୍ଲକ ଅଧ୍ୟକ୍ଷ, ଜୟପୁର ପୌରାଧ୍ୟକ୍ଷ ନରି ମହାନ୍ତି ଓ କୋଟପାଡ଼ ଏନଏସି ଅଧ୍ୟକ୍ଷ ଦିଲୀ ଅଭିମୁଖେ ବାହାରିଛନ୍ତି। ସେମାନେ ୧୫ ତାରିଖରେ ଦିଲୀରେ ପହଞ୍ଚି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ସାକ୍ଷାତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ା
ମିଳିଥିବା ସୂଚନା ଅନୁସାରେ, ତାରା ବାହିନୀପତିଙ୍କ ପନତ୍ୀ ମିନାକ୍ଷୀ ବାହିନିପତିଙ୍କୁ ଜିଲା ସଭାପତିରୁ ବାଦ୍ ଦେଇ ଦୁର୍ଗା ଶଙ୍କର ସାହୁଙ୍କୁ କୋରାପୁଟ ଜିଲାର ନୂତନ ସଭାପତି ଭାବେ ଚୟନ କରାଯାଇଛି। ଏହାକୁ ତାରା ଓ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ା ଏଥିରେ ଏମ୍ପି ସପ୍ତଗିରିଙ୍କ ହାତ ରହିଥିବା ତାରାଙ୍କ ଅନୁଗତ ପ୍ରକାଶ କରିଛନ୍ତି ା ୨୦୧୯ ସାଧାରଣ ନିର୍ବାଚନରେ ସପ୍ତଗିରି ନିର୍ବାଚନ ଲଢ଼ି ଓଡ଼ିଶାରୁ କଂଗ୍ରେସ ଦଳର ଏକମାତ୍ର ଏମ୍ପି ଭାବେ ନିର୍ବାଚିତ ହୋଇଥିଲେ ା ଏହା ପରେ ଦିଲୀରେ ସପ୍ତଗିରିଙ୍କ ଦବ୍ଦବା ବଢ଼ିଥିଲା ା ହେଲେ ଧୀରେ ଧୀରେ ତାରା ଓ ସପ୍ତଗିରିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ା ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲା ସଭାପତି ପଦରୁ ବିଦା କରିବାରେ ସପ୍ତଗିରିଙ୍କ ହାତ ରହିଥିବା କଂଗ୍ରେସ କର୍ମୀ ମହଲରେ ଆଲୋଚନା ଚାଲିଛି ା ଏଣୁ ତାରା ବାହିନୀପତି ନିଜ ସମର୍ଥକଙ୍କୁ ନେଇ ଦିଲୀ ଯାଇ ସେଠାରେ ହାଇକମାଣ୍ଡଙ୍କ ସହ ସାକ୍ଷାତ କରିବାକୁ ଯାଉଥିବା କୁହାଯାଉଛି। ତାରାଙ୍କ ନେତୃତ୍ୱରେ ବୁଧବାର କୋରାପୁଟ ଓ ରାୟଗଡ଼ା ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ କର୍ମୀ ଦିଲୀ ଯାଉଥିବା ଜଣାପଡ଼ିଛି ା ଦଳୀୟ କର୍ମୀଙ୍କୁ ନେଇ ଦିଲୀ ଯାଉଥିବାର କାରଣ ସମ୍ପର୍କରେ ତାରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦଳୀୟ ସଂଗଠନ ବିଷୟରେ ଆଲୋଚନା ପାଇଁ ଦିଲୀ ଯାଉଛୁ ା ଏ ସମ୍ପର୍କରେ ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝି ଓ କୋରାପୁଟ ଲୋକ ସଭା କ୍ଷେତ୍ରର ପୂର୍ବତନ ଯୁବ ସଭାପତି ଜେନାଙ୍କୁ ପଚାରିବାରୁ ରାୟଗଡ଼ା ଓ କୋରାପୁଟ ଜିଲାରେ ଦଳୀୟ ସଂଗଠନ ବିଷୟରେ ଆଲୋଚନା ପାଇଁ ଯାଉଥିବା କହିଛନ୍ତି। ଏ ସମ୍ପର୍କରେ ଏମ୍ପି ଉଲାକାଙ୍କୁ ଯୋଗାଯୋଗ କରାଯିବାରୁ ଦଳର ସଂଗଠନ ସୁଦୃଢ଼ ବିଷୟରେ ଆଲୋଚନା କରିବା ପାଇଁ ଦଳୀୟ ନେତା ଓ କର୍ମୀ ହାଇକମାଣ୍ଡଙ୍କୁ ଭେଟିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତବେ ତାଙ୍କର ଓ ତାରା ବାହିନୀପତିଙ୍କ ମଧ୍ୟରେ ରହିଥିବା ବିବାଦକୁ ନେଇ ସେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।