Advertisement

ପ୍ରଥମ ସାଉଦି ମହିଳା ଭାବେ ମହାକାଶ ଯିବେ ରାୟାନା

ଦୁବାଇ,୧୪।୨: ରକ୍ଷଣଶୀଳ ଦେଶ ସାଉଦି ଆରବ ଆଜିକାଲି ପରିବର୍ତ୍ତନର ଏକ ସମୟ ଦେଇ ଗତି କରୁଛି। ସାଉଦି ଆରବ ପ୍ରଥମ ଥର ପାଇଁ ମହିଳା ମହାକାଶଚାରୀଙ୍କୁ ମହାକାଶ ପଠାଇବାକୁ ନିଷ୍ପତ୍ତି ନେଇଛି। ରାୟାନା ବର୍ଣ୍ଣୱି ପ୍ରଥମ ମହିଳା ମହାକାଶଚାରୀ ଭାବେ ଚଳିତ ବର୍ଷ ଶେଷରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନକୁ ଉଡ଼ିବେ। ସାଉଦି ଆରବ ମହାକାଶଚାରୀ ଅଲି ଅଲ କର୍ନି ମଧ୍ୟ ରାୟାନା ବର୍ଣ୍ଣୱିଙ୍କ ସହ ମହାକାଶକୁ ଯିବେ।
ଉଭୟ ସାଉଦି ଆରବ ମହାକାଶଚାରୀମାନେ ଚଳିତ ବର୍ଷ ଶେଷରେ ମହାକାଶ ଯାତ୍ରା କରିବେ ଦୁହେଁ ଏଏକ୍ସ-୨ ସ୍ପେସ ମିଶନର କ୍ରୁରେ ସାମିଲ ଅଛନ୍ତି ଏବଂ ସେମାନଙ୍କ ବିମାନ ଲଞ୍ଚିଂ ଆମେରିକାରୁ ଆରମ୍ଭ ହେବ। ଏହାପୂର୍ବରୁ ୨୦୧୯ରେ ୟୁଏଇର ମହାକାଶଚାରୀ ହାଜା ଅଲ ମନସୁରୀ ମଧ୍ୟ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ) ରେ ଆଠ ଦିନ ବିତାଇଛନ୍ତି।
ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନେତୃତ୍ୱରେ ସାଉଦି ଆରବରେ ମହିଳାମାନଙ୍କୁ ପୁରୁଷଙ୍କ ବିନା ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି। ଏଥିସହ ସାଉଦି ଆରବରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୧୬ରେ, ସାଉଦି ଆରବରେ କାର୍ଯ୍ୟରତ ମହିଳାଙ୍କ ସଂଖ୍ୟା ୧୭ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୩୭ ପ୍ରତିଶତକୁ ବୃଦ୍ଧି ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share