ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏହାର ମୁଦ୍ରା ନୀତି ଜାରି ନିଷ୍ପତ୍ତି ଜାରି କରିଛି। ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି କମିଟି(ଏମପିସି) ବୈଠକରେ ରେପୋ ହାରକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା ବ୍ୟତୀତ, ରିଭର୍ସ ରେପୋ ରେଟ୍ରେ ୦.୪୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏବେ ଏହା ବୃଦ୍ଧି ପାଇ ୩.୭୫ ପ୍ରତିଶତରେ ପହଞ୍ଚିଛି। ନଗଦ ରିଜର୍ଭ ଅନୁପାତ ମଧ୍ୟ ୪ ପ୍ରତିଶତରେ ରଖାଯାଇଛି। ଏମପିସିି ବୈଠକ ପରେ ଆର୍ବିଆଇ ଗଭର୍ନର ଶଶିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। କ୍ରମାଗତ ୧୧ମ ଥର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହାପୂର୍ବରୁ, ରିଜର୍ଭ ବ୍ୟାଙ୍କ ଗତ ମେ ୨୨, ୨୦୨୦ରେ ରେପୋ ରେଟ ପରିବର୍ତ୍ତନ କରିଥିଲା।
ସେହି ଭଳି ଚଳିତ ଆର୍ଥିକ ବର୍ଷ ଲାଗି ଜିଡିପି ଆକଳନକୁ ୭.୨ ପ୍ରତିଶତରେ ରଖାଯାଇଛି। ଏହା ପୂର୍ବରୁ ଜିଡିପି ୭.୮ ପ୍ରତିଶତ ବଢିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଆକଳନ କରିଥିଲା।