ପ୍ରତିଦିନ ଜମା ହେଉଥିବା ୨୦୦୦ ଟଙ୍କିଆ ନୋଟ ବିଷୟରେ ସୂଚନା ରଖିବାକୁ ବ୍ୟାଙ୍କଗୁଡିକୁ ଆରବିଆଇର ନିର୍ଦ୍ଦେଶ…

ମୁମ୍ବାଇ,୨୨।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ପ୍ରତିଦିନ ୨୦୦୦ ଟଙ୍କତଆ ନୋଟ ଜମା କରାଯାଉଥିବା ତଥ୍ୟ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜଡିତ ନିର୍ଦ୍ଦେଶନାମା ଆରବିଆଇ ଦ୍ୱାରା ମେ ୨୨ ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି କାଉଣ୍ଟରରେ ୨୦୦୦ ଟଙ୍କିଆ ନୋଟ ସାଧାରଣ ଜନତାଙ୍କୁ ବିନିମୟ କରିବାର ସୁବିଧା ପୂର୍ବପରି ପ୍ରଦାନ କରାଯିବ।

ନୋଟ ବିନିମୟ ପାଇଁ ଚାରିମାସ ସମୟ ଦିଆଯିବ। ଦାଶ କହିଛନ୍ତି ସ୍ବଚ୍ଛ ନୋଟ ନୀତି ଅନୁଯାୟୀ ୨୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ନିଷ୍ପତ୍ତି ନିଆଯାଇଛି। ନୋଟ ବିନିମୟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି । ମେ ୨୩ ଠାରୁ, ଅନ୍ୟ ନୋଟ ପାଇଁ ୨୦୦୦ ଟଙ୍କିଆ ନୋଟ ବିନିମୟର ସୀମା ଯେ କୌଣସି ବ୍ୟାଙ୍କରେ ଥରକରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। ଆମେ ନୋଟ ବିନିମୟରେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ନିରନ୍ତର ନଜର ରଖିଛୁ।
ନୋଟ ବଦଳାଇବାରେ ବ୍ୟସ୍ତ ନହେବାକୁ ଆରବିଆଇ ଗଭର୍ଣ୍ଣର ଲୋକମାନଙ୍କୁ ନିବେଦନ କରିଛନ୍ତି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ସମୟରେ ମୁଦ୍ରାର ଅଭାବକୁ ପୂରଣ କରିବା ପାଇଁ ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ଏହି ଉଦ୍ଦେଶ୍ୟ ପୂରଣ ହୋଇଛି। ଆଜି ପ୍ରଚଳନ ପାଇଁ ଅନ୍ୟାନ୍ୟ ନୋଟ ଯଥେଷ୍ଟ ପରିମାଣରେ ଅଛି । ଏପରିକି ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଏହାର ଶିଖର ସ୍ତର ୬ ଲକ୍ଷ ୭୩ ହଜାର କୋଟିରୁ ପ୍ରାୟ ୩ ଲକ୍ଷ ୬୨ ହଜାର କୋଟି ଟଙ୍କାକୁ ଖସି ଆସିଛି। ଏହାର ମୁଦ୍ରଣ ମଧ୍ୟ ବନ୍ଦ ହୋଇଯାଇଛି।

Share