Categories: ବାଣିଜ୍ୟ

ଡିଜିଟାଲ ଋଣ ଉପରେ ଆର୍‌ବିଆଇର ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୩ା୯: ଦିନକୁ ଦିନ ଡିଜିଟାଲ ଋଣ ଠକେଇକୁ ନେଇ ଉଭୟ ସରକାର ଓ ସାଧାରଣ ନାଗରିକ ଚିନ୍ତାରେ ପଡ଼ିଛନ୍ତି। ଏପରିକି ଅନ୍‌ଲାଇନରେ ପ୍ରତିଦିନ ଲୋଭନୀୟ ଅଫର ଛାଡ଼ି ସୋସିଆଲ ମିଡିଆର ଗ୍ରାହକଙ୍କୁ ସବୁ ବର୍ଗର ସଂସ୍ଥା ଶୋଷଣ କରୁଛନ୍ତି। ଏପରିକି ଫାଇନାସିଆଲ ଟେକ୍ନୋଲଜି କମ୍ପାନିଗୁଡିକ ପକ୍ଷରୁ ଋଣ ଦେବା ନାଁରେ କରାଯାଉଥିବା ଶୋଷଣ ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି ଶେଷ ହୋଇଛି। ଏ ନେଇ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ଡିଜିଟାଲ ଲେଣ୍ଡିଂକୁ ନେଇ ଚୂଡାନ୍ତ ଗାଇଡ ଲାଇନ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ ଅନୁସାରେ ଡିଜିଟାଲ ଲେଣ୍ଡି ପ୍ଲାଟ୍‌ଫର୍ମ ଗୁଡିକ ସିଧା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଋଣ ଟଙ୍କା ପଠାଇବେ। ଏଥିପାଇଁ ସେମାନେ ତୃତୀୟ ପକ୍ଷର ବ୍ୟବହାର କରିବେ ନାହିଁ, ଯଦି ଲେଣ୍ଡି ସର୍ଭିସ ପ୍ରୋଭାଇଡ ପକ୍ଷରୁ କୌଣସି ପ୍ରକାର ଭୁଲ୍‌ ହୁଏ ତେବେ ଋଣ ଦେଇଥିବା ରେଗୁଲେଟେଡ୍‌ ଏନ୍‌ବିଏଫ୍‌ସି କମ୍ପାନୀ ଦାୟୀ ରହିବେ ବୋଲି କୁହାଯାଇଛି। ଗାଇଡ୍‌ଲାଇନ ଅନୁସାରେ ବର୍ଷିକ ପ୍ରତିଶତ ହାର(ଏପିଆର)ରେ ସମସ୍ତ ପ୍ରକାର କଷ୍ଟ ଅଫ ଫଣ୍ଡ, କ୍ରେଡିଟ୍‌ କଷ୍ଟ, ପରିଚାଳନା କଷ୍ଟ, ପ୍ରୋସେସିଂ ଫି, ଭେରିଫିକେସନ ଚାର୍ଜ, ମେଣ୍ଟନାନ୍ସ ଚାର୍ଜ ଆଦି ସାମିଲ ରହିବ। ଋଣ ଜାରି ରଖିବା ପାଇଁ ଗ୍ରାହକଙ୍କୁ କୁଲିଂ ଅଫ୍‌ ପିରିୟଡର ଅବଧି ଦେବାକୁ ପଡିବ, ଯାହାଦ୍ୱାରା ଗ୍ରାହକ ଋଣରୁ ବାହାରିପାରିବେ। ଫଳରେ ଗ୍ରାହକଙ୍କ ବିନା ମଞ୍ଜୁରୀରେ କୌଣସି ପ୍ରକାର ଡାଟା ଶେୟାର କରିପାରିବେ ନାହିଁ। ଏହାଛଡା ଋଣ ସହ ଜଡିତ ଗ୍ରାହକଙ୍କ ଅସୁବିଧା ଦୂର କରିବା ପାଇଁ ଋଣ ପ୍ରଦାନକାରୀ କମ୍ପାନୀ ଅଭିଯୋଗ ଶୁଣାଣି ପାଇଁ ଅଧିକାରୀଙ୍କୁ ନିଯୁକ୍ତି ଦେବେ।

Share