Categories: ବାଣିଜ୍ୟ

ରେପୋ ରେଟ୍‌ ବଢ଼ାଇପାରେ ଆରବିଆଇ

ନୂଆଦିଲ୍ଲୀ,୨୮।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ବର୍ତ୍ତମାନ ସମୟରେ ଲକ୍ଷ୍ୟଧାର୍ଯ୍ୟ ଠାରୁ ଢେର ଉପରେ ରହିଛି। ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ମଧ୍ୟ ଉପରେ ରହିଛି। ବିଶେଷ କରି ମୁଦ୍ରାସ୍ଫୀତି ୬%ରୁ କମ କରିବାରେ ମଧ୍ୟ ଆରବିଆଇ ବିଫଳ ହୋଇଛି। ସେହିଭଳି ଆରବିଆଇର ମୁଦ୍ରା ନୀତି କିମିଟି (ଏମ୍‌ପିସି) ବୈଠକ ଆସନ୍ତା ଏପ୍ରିଲ ୩ରୁ ଆରମ୍ଭ ହେଉଛି। ଉକ୍ତ ବୈଠକରେ ଉଭୟ ଘରୋଇ ଏବଂ ବୈଶ୍ୱିକ ପ୍ରସଙ୍ଗ ସହ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଦ୍ୱି-ମାସିକ ମୁଦ୍ରା ନୀତି ଉପରେ ବିସ୍ତୃତ ଆଲୋଚନା କରାଯିବ। ଏପରିକି ଉକ୍ତ ବୈଠକରେ ଆରବିଆଇ ରେପୋ ରେଟରେ ପ୍ରାୟ ୨୫ ବେସିସ୍‌ ପଏଣ୍ଟ ବଢାଇପାରେ ବୋଲି ଆକଳନ କରାଯାଉଛି। ୨୦୨୩ ଏପ୍ରିଲ ୬ରେ ଏ ନେଇ ଘୋଷଣା ହୋଇପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶାଙ୍କା କରୁଛନ୍ତି।

Share