ଆରବିଆଇ ମୁଦ୍ରା ନୀତି ଜୁନ ୨୦୨୩: ଋଣ , ଇଏମଆଇ ବୋଝରୁ ମୁକ୍ତି, ରେପୋ ରେଟ ଅପରିବର୍ତ୍ତିତ…

ନୂଆଦିଲ୍ଲୀ,୮।୬ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ନୂଆ ମୁଦ୍ରା ନୀତି ଘୋଷଣା କରିଛନ୍ତି। ଜୁନ ୬ ରୁ ୮ ପର୍ଯ୍ୟନ୍ତ ଚାଲିଥିବା ଆରବିଆଇର ମୁଦ୍ରା ନୀତି କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ରେପୋ ହାରରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତିି। ଏହାର ଅର୍ଥ ହେଉଛି ରେପୋ ରେଟ ପୂର୍ବ ଭଳି  ୬.୫ ପ୍ରତିଶତରେ ରହିଛି ।

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟି ପୂର୍ବରୁ ଦୁଇଟି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମତଃ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଏବଂ ଦ୍ୱିତୀୟରେ, ପ୍ରତିକୂଳ ବିଶ୍ୱ ପରିସ୍ଥିତିର ମୁକାବିଲା କରିବା ।

ଅଧିକ ଖୁଚୁରା ମୁଦ୍ରାସ୍ଫୀତି ଏବଂ ବିକଶିତ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବିଶେଷ କରି ଆମେରିକାର ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇର ମୁଦ୍ରା କମିଟିର ଏହି ବୈଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା।

ରେପୋ ରେଟ, ରିଭର୍ସ ରେପୋ ରେଟ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ନିଷ୍ପତ୍ତି ଉପରେ ଆର୍ଥିକ କମିଟିର ନିଷ୍ପତ୍ତି ଆଜି ଆରବିଆଇ ଗଭର୍ନର ଘୋଷଣା କରିଛନ୍ତି। ଏହା ବ୍ୟତୀତ ଗଭର୍ନର ବର୍ତ୍ତମାନର ଘରୋଇ ଏବଂ ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। ତେବେ ଗୁରୁବାରର ଘୋଷଣା ପୂର୍ବରୁ ଅନେକ ଅର୍ଥନୀତିଜ୍ଞ ଅନୁମାନ କରୁଥିଲେ ଏଥର ରେପୋ ହାରରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।

ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପରେ ଦେଶର ଅର୍ଥନୀତିରେ ଚାଲିଥିବା ପୁନରୁଦ୍ଧାରକୁ ବଜାୟ ରଖିବା ଏବଂ ରେପୋ ହାରରେ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଫେବୃଆରୀରେ ଅନୁଷ୍ଠିତ ଏମପିସି ବୈଠକରେ ଆରବିଆଇ ରେପୋ ହାରକୁ ୨୫ ଆଧାର ପଏଣ୍ଟ (ବିପିଏସ) ବୃଦ୍ଧି କରିଥିଲା। ଏହାପୂର୍ବରୁ, ଡିସେମ୍ବର ମାସର ମୁଦ୍ରା ନୀତି ସମୀକ୍ଷାରେ ଆରବିଆଇ ରେପୋ ହାରକୁ ୩୫ ଆଧାର ପଏଣ୍ଟରେ ବୃଦ୍ଧି କରିଥିଲା। ମେ ୨୦୨୨ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ, ଆରବିଆଇ ରେପୋ ହାରକୁ ୨୫୦ ଆଧାର ପଏଣ୍ଟ ଅର୍ଥାତ ୨.୫ ପ୍ରତିଶତ ବୃଦ୍ଧି କରିଥିଲା।

Share