ନୂଆଦିଲ୍ଲୀ,୪।୩: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ଆମାଜନ ପେ’ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ୍ ପେମେଣ୍ଟ ଇନ୍ଷ୍ଟ୍ରୁମେଣ୍ଟ(ପିପିଆଇ) ଏବଂ ନୋ ୟୁଓର କଷ୍ଟମର(କଓ୍ବୋଇସି) ସମ୍ବନ୍ଧୀୟ କିଛି ନିୟମାବଳୀକୁ ପାଳନ ନ କରିବା ଲାଗି ଏହି ଜରିମାନା ଲଗାଯାଇଥିବା ଆର୍ବିଆଇ ଶୁକ୍ରବାର କହିଛି।
ଏ ନେଇ ଜାରି ବିବୃତ୍ତିରେ ଆର୍ବିଆଇ କହିଛି, ଅନୁଷ୍ଠାନ କଓ୍ବୋଇସି ଆବଶ୍ୟକତା ଉପରେ ଆର୍ବିଆଇର ନିର୍ଦ୍ଦେଶ ପାଳନ କରୁ ନ ଥିଲା।
ପୂର୍ବରୁ ଆର୍ବିଆଇ ଆମାଜନ ପେ’(ଇଣ୍ଡିଆ)କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରି ନିର୍ଦ୍ଦେଶଗୁଡ଼ିକ ପାଳନ କରା ନ ଯିବାକୁ ନେଇ କାହିଁକି ଦଣ୍ଡବିଧାନ କରାଯିବ ନାହିଁ ବୋଲି ପଚାରିଥିଲା। ଏହାପରେ କମ୍ପାନୀର ଜବାବକୁ ବିଚାର କରି ଆର୍ବିଆଇ ନିର୍ଦ୍ଦେଶ ପାଳନ ନ କରିବା ଅଭିଯୋଗ ସତ୍ୟ ବୋଲି ଜାଣିବାକୁ ପାଇଥିଲା। ଶେଷରେ ଏଥିଲାଗି ଆର୍ଥିକ ଜରିମାନା ଲଗାଯାଇଛି।