Categories: ବାଣିଜ୍ୟ

ଆର୍‌ବିଆଇ ବିଶ୍ୱରେ ନେତୃତ୍ୱପୂର୍ଣ୍ଣ ଭୂମିକା ନେବ

ଭୁବନେଶ୍ୱର,୨।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଇତିମଧ୍ୟରେ ୯୦ ବର୍ଷରେ ପହଞ୍ଚତ୍ଛି। ଏନେଇ ମୁମ୍ବାଇସ୍ଥିତ ଆର୍‌ବିଆଇ ମୁଖ୍ୟାଳୟରେ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଆୟୋଜିତ ‘ଆର୍‌ବିଆଇ@ ୯୦’ର ଉଦ୍‌ଘାଟନୀ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି, ଆଜି ପ୍ରସ୍ତୁତ କରାଯାଇଥିବା ନୀତିଗୁଡ଼ିକ ଆର୍‌ବିଆଇର ପରବର୍ତ୍ତୀ ଦଶନ୍ଧିକୁ ରୂପ ଦେବ। ଦେଶର ଜିଡିପି ଏବଂ ଅର୍ଥନୀତିରେ ମୁଦ୍ରା ଏବଂ ବିତ୍ତୀୟ ନୀତିର ସମନ୍ବୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ୨୦୧୪ରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ମୁଖୀନ ହୋଇଥିବା ଏନ୍‌ପିଏ ଏବଂ ସ୍ଥିରତା ଭଳି ଆହ୍ବାନ ଏବଂ ସମସ୍ୟାକୁ ମନେ ପକାଇଥିଲେ। ତାଙ୍କ ସୂଚନାନୁସାରେ, ପ୍ରଶାସନିକ ସମ୍ବନ୍ଧୀୟ ଅନେକ ସଂସ୍କାର ସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରିବା ପାଇଁ ୩.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଥିଲା। କେବଳ ଦେବାଳିଆ ଓ ଦେବାଳିଆପଣ ସଂହିତା ଦ୍ୱାରା ୩.୨୫ ଲକ୍ଷ ଟଙ୍କା ଋଣର ସମାଧାନ କରାଯାଇଛି। ଆଇବିସି ଅଧୀନକୁ ଯିବା ପୂର୍ବରୁ ୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଡିଫଲ୍ଟ ଥିବା ୨୭,୦୦୦ରୁ ଅଧିକ ଆବେଦନର ସମାଧାନ କରାଯାଇଥିଲା। ୨୦୧୮ରେ ବ୍ୟାଙ୍କଗୁଡ଼ିକର ମୋଟ ଏନ୍‌ପିଏ ୧୧.୨୫% ଥିବା ବେଳେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହା ୩ ପ୍ରତିଶତ ତଳକୁ ଖସିିଛି। ଦେଶର ୫୨ କୋଟି ଜନଧନ ଆକାଉଣ୍ଟ ମଧ୍ୟରୁ ୫୫% ଆକାଉଣ୍ଟ ମହିଳାଙ୍କ ନାମରେ ରହିଛି। ୭ କୋଟିରୁ ଅଧିକ କୃଷକ, ମତ୍ସ୍ୟଜୀବୀ ଏବଂ ଗୋରୁ ମାଲିକମାନେ ପିଏମ୍‌ କିଷାନ କ୍ରେଡିଟ କାର୍ଡ ପାଇଛନ୍ତି। ୟୁପିଆଇ ମାଧ୍ୟମରେ ୧୨୦୦ କୋଟିରୁ ଅଧିକ ମାସିକ କାରବାର ବିଶ୍ୱସ୍ତରରେ ସ୍ବୀକୃତିପ୍ରାପ୍ତ ପ୍ଲାଟଫର୍ମରେ ପରିଣତ କରିଛି। ଗତ ୧୦ ବର୍ଷର ପରିବର୍ତ୍ତନ ଏକ ନୂତନ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଅର୍ଥନୀତି ଏବଂ ମୁଦ୍ରା ଅଭିଜ୍ଞତା ସୃଷ୍ଟି କରିବାରେ ସକ୍ଷମ କରିଛି। ଆର୍‌ବିଆଇ ବିଶ୍ୱରେ ଏକ ନେତୃତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ, ଯାହା ସମଗ୍ର ଗ୍ଲୋବାଲ ସାଉଥ ବା ଦକ୍ଷିଣ ବିଶ୍ୱ କ୍ଷେତ୍ରକୁ ସମର୍ଥନ କରିବ। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କିଶନରାଓ କରାଡ ଓ ପଙ୍କଜ ଚୌଧୁରୀ, ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share