Categories: ବାଣିଜ୍ୟ

ଆର୍‌ବିଆଇର ଦିନିକିଆ ଟାଉନ୍‌ ହଲ୍‌ ମିଟିଂ

ଭୁବନେଶ୍ୱର,୨୦।୩: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଦିନିକିଆ ଟାଉନ୍‌ ହଲ୍‌ ମିଟିଂ(ବୈଠକ) ମଙ୍ଗଳବାର ବାଲେଶ୍ୱର ଏନ୍‌ଓସିସିଆଇ ବିଜ୍‌ନେସ୍‌ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ସୂକ୍ଷ୍ମ ଏବଂ ଲଘୁ ଓ ମଧ୍ୟମ ଉଦ୍ୟୋଗୀ (ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ନିକଟରେ ପହଞ୍ଚତ୍ବା ସହ ବ୍ୟାଙ୍କିଙ୍ଗ୍‌ ସୁବିଧା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବୈଠକ ହୋଇଥିଲା। ଏପରିକି ଉକ୍ତ ବୈଠକରେ ଏମ୍‌ଏସ୍‌ଏମ୍‌ଇ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ମଧ୍ୟ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଆର୍‌ବିଆଇ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଆୟୋଜିତ ହୋଇଥିବାବେଳେ ଓଡ଼ିଶା ଶିଳ୍ପ ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡି, ଏସ୍‌ଏଲ୍‌ବିସି ମହାପ୍ରବନ୍ଧକ ତଥା କନ୍‌ଭେନର ଗୌତମ ପାତ୍ର, ସିଡ୍‌ବିର ଉପମହାପ୍ରବନ୍ଧକ ପ୍ରଦ୍ୟୁମ୍ନ କୁମାର ଚୌଧୁରୀଙ୍କ ସମେତ ଏସ୍‌ବିଆଇ ଓ ବିଓଆଇର ଉପମହାପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ବାଲେଶ୍ୱର ଜିଲାର ଏମ୍‌ଏସ୍‌ଏମ୍‌ଇ ସଂଘ ଯଥା ବିସିଆଇସି, ଏନ୍‌ଓସିସିଆଇ, ବାଲେଶ୍ୱର ଜିଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ, ଆଞ୍ଚଳିକ ପ୍ରବନ୍ଧକ ଏବଂ ବାଲେଶ୍ୱର ଜିଲାର ପ୍ରମୁଖ ବ୍ୟାଙ୍କର ଅନ୍ୟ ଅଧିକାରୀ, ଏଲ୍‌ଡିଏମ୍‌, ଡିଡିଏମ୍‌ (ନାବାର୍ଡ) ଓ ଆର୍‌ଏସ୍‌ଇଟିଆଇ ନିର୍ଦ୍ଦେଶକ, ବାଲେଶ୍ୱର ଜିଲାର ଅନ୍ୟ ଉଦ୍ୟୋଗୀଙ୍କ ସମେତ ୧୭୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀମାନଙ୍କ ପାଇଁ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ଅଂଶଗ୍ରହଣକାରୀ ସେମାନଙ୍କ ପ୍ରଶ୍ନ ପଚାରିବା ସହ ବ୍ୟାଙ୍କ ଫାଇନାନ୍ସ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗରେ ସେମୋନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସେମାନଙ୍କ ମତାମତ ପ୍ରଦାନ କରିଥିଲେ।

Share