ମୁମ୍ବାଇ,୮।୪: ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୫ ଉଇକେଟ ହରାଇ ୨୨୧ ରନ କରିଥିଲା। ଘରୋଇ ପିଚ୍ରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ମୁମ୍ବାଇ ଇନିଂସ ୨୦ ଓଭରରେ ୨୦୯/୯ରେ ସୀମିତ ହୋଇ ଯାଇଥିଲା। ତିଲକ ବର୍ମା ୫୬ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୪୨ ରନକରି ମୁମ୍ବାଇକୁ ବିଜୟର ନିକଟତର କରିଥିଲେ ହେଁ ଆସିବି ବୋଲରମାନେ ଠିକ ସମୟରେ ର୍ଧଯ୍ୟ ଦେଖାଇ ବାଜି ମାରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୧୯ ରନ ଆବଶ୍ୟକ ହେଉଥିବାବେଳେ କୃନାଲ ପାଣ୍ଡ୍ୟା ମାତ୍ର ୬ ରନ ଦେଇ ୩ଟି ଉଇକେଟ ନେବା ସହ ନିଜ ଭାଇ ହାର୍ଦ୍ଦିକଙ୍କୁ ପରାଜୟ ସ୍ବାଦ ଚଖାଇଥିଲେ। ୧୦ ବର୍ଷ ପରେ ଓ୍ବାଙ୍ଖେଡେରେ ଏହାଥିଲା ଆରସିବିର ପ୍ରଥମ ବିଜୟ। ଆରସିବି ୪ ମ୍ୟାଚରୁ ୩ୟ ବିଜୟ ହାସଲ କରିଥିବାବେଳେ ମୁମ୍ବାଇ ୫ ମ୍ୟାଚରୁ ୪ର୍ଥ ପରାଜୟ ବରଣ କରିଛି।
IPL ଇତିହାସରେ RCB ଦ୍ୱିତୀୟ ଦଳ ଭାବରେ ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ, ଚେପକରେ ଚେନ୍ନାଇ ସୁପର କିଙ୍ଗସକୁ ଏବଂ ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ଅର୍ଥାତ୍ ଗୋଟିଏ ସିଜିନରେ ସମସ୍ତ ତିନୋଟି ବଡ଼ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପରାସ୍ତ କରିବାରେ RCB ଦ୍ୱିତୀୟ ଦଳ ହୋଇଛି। ପୂର୍ବରୁ ୨୦୧୨ ମସିହାରେ ପଞ୍ଜାବ କିଙ୍ଗ୍ସ ଏହା କରିଥିଲା।
ରଜତ ପଟିଦାରଙ୍କ ଅଧିନାୟକତ୍ୱରେ, RCB KKR ବିପକ୍ଷରେ ବିଜୟ ସହିତ ସିଜିନ ଆରମ୍ଭ କରିଥିଲା। ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ଏହା KKRକୁ ୭ ଉଇକେଟରେ ପରାସ୍ତ କରିଥିଲା। ଦ୍ୱିତୀୟ ମ୍ୟାଚ୍ରେ ଚେପକ ଷ୍ଟାଡିୟମରେ RCB ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନ୍ରେ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ୍ରେ ଗୁଜରାଟଠାରୁ ହାରିବା ପରେ, ଦଳ ସୋମବାର ୱାଙ୍ଖେଡେ ଷ୍ଟାଡିୟମରେ ତା’ର ଚତୁର୍ଥ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଗୋଟିଏ ସିଜିନରେ ଏହି ଦଳଗୁଡ଼ିକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପରାସ୍ତ କରିବାରେ ଏହା IPL ଇତିହାସର ଦ୍ୱିତୀୟ ଦଳ ହୋଇଛି।


