Categories: ଜାତୀୟ

ଅବସର ପରେ ପୁନର୍ନିଯୁକ୍ତି ମନା

ଡେରାଡୁନ୍‌, ୯।୯: ଏବେ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀଙ୍କୁ ଆଉ ପୁନର୍ନିଯୁକ୍ତି ମିଳିବ ନାହିଁ। ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଉତଙ୍କ ସରକାର ନୂଆ ଆଇନ ଆଣିଛନ୍ତି। ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଠିକାରେ କୌଣସି ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇ ପାରିବ ନାହିଁ। ଯଦି ଏଭଳି ହୁଏ ତେବେ ସମ୍ପୃକ୍ତ ବିଭାଗକୁ ପଦବୀ ପାଇଁ କୌଣସି ଯୋଗ୍ୟ ପ୍ରାର୍ଥୀ ମିଳି ନ ଥିବାରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଚିଠି ସରକାରଙ୍କ ପାଖରେ ଦାଖଲ କରାଯିବ। ରାଜ୍ୟ ମୁଖ୍ୟ ସଚିବ ଓମ୍‌ ପ୍ରକାଶଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ପୁନର୍ନିଯୁକ୍ତି କରାଯାଇଥିବା ଅଫିସର ୬ ମାସରୁ ଏକବର୍ଷ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ତାଲିମ୍‌ ଦେବେ। ଯେଉଁ ବିଭାଗରେ ଅବସର ଗ୍ରହଣ ବୟସ ସୀମା ୬୨ ରହିଛି ସେଠାରେ ପୁନର୍ନିଯୁକ୍ତି କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। କାର୍ମିକ ବିଭାଗର ବିନା ଅନୁମତିରେ ଦିଆଯାଇ ଥିବା ପୁନର୍ନିଯୁକ୍ତି କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କ ଦରମା ବନ୍ଦ କରି ଦିଆଯିବ। ରାଜ୍ୟରେ ସାଧାରଣ ପଦବୀରେ ମଧ୍ୟ ପୁନର୍ନିଯୁକ୍ତି ଜାରି ରହିଛି। ଏହାଦ୍ୱାରା ରାଜସ୍ବରେ କ୍ଷତି ଘଟୁଥିବା ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି। ସ୍ବତନ୍ତ୍ର ଅଧିକାରୀ ଅବସର ଗ୍ରହଣ କରିବା ପୂର୍ବରୁ ଅନ୍ୟ ଅଧିକାରୀଙ୍କୁ ଆବଶ୍ୟକ ତାଲିମ୍‌ ଦେବେ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

Share