ମହାମାରୀ ମୁକାବିଲା ପାଇଁ ପୁଣି ପ୍ରସ୍ତୁତି, ରାଜ୍ୟକୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓମିକ୍ରନ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତିି ସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

ଓମିକ୍ରନ୍‌ ଲଢ଼େଇ ପାଇଁ ଡାକ୍ତରଖାନା ଭିତ୍ତିଭୂମି ଏବଂ କଣ୍ଟେନମେଣ୍ଟ ଜୋନ ଉପରେ ନିରନ୍ତର ସମୀକ୍ଷା କରାଯିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ରାତ୍ରକାଳୀନ କର୍ଫ୍ୟୁ, ବିବାହ, ସମାବେଶ, ଅନ୍ତିମ ସଂସ୍କାର, କାର୍ଯ୍ୟାଳୟ ଏବଂ ଜନସାଧାରଣ ପରିବହନରେ ଲୋକଙ୍କ ସଂଖ୍ୟା ସୀମିତ ରହିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

କୌଣସି ବିଳମ୍ବ ନକରି ଜିନୋମ ସିକ୍ୱେନ୍ସିଂ ନମୁନାକୁ ନିର୍ଦ୍ଦିଷ୍ଟ ଲ୍ୟାବକୁ ପଠାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଆଇସିଏମଆର ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ନମୁନା ପରୀକ୍ଷା ସହିତ ଘରଘର ବୁଲି ଅନୁସନ୍ଧାନ କରିବା ଲାଗି ରାଜ୍ୟଗୂଡ଼ିକୁ ପରାମର୍ଶ ଦିଆଯାଇଛି। ଏହା ସହିତ ହସ୍ପିଟାଲରେ ଶଯ୍ୟା କ୍ଷମତା ବୃଦ୍ଧି କରିବାକୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି। ସେହିପରି ଲଜିଷ୍ଟିକ୍ସ, ରୋଗୀମାନଙ୍କୁ ପରିବହନ ପାଇଁ ବ୍ୟବସ୍ଥା, ଅମ୍ଳଜାନ ଉପକରଣର ଉପଲବ୍ଧତା, ଔଷଧର ବଫର ଷ୍ଟକ ବିଷୟରେ ମଧ୍ୟ କୁହାଯାଇଛି।

ଏହା ସହିତ ଟିକାକରଣର କଭରେଜକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଥମ ଏବଂ ଦ୍ୱିତୀୟ ଡୋଜର କଭରେଜ ଜାତୀୟ ହାରଠାରୁ କମ୍‌ ରହିଥିବା ଜିଲାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି।

Share