ଥାନାରେ ପହଞ୍ଚିଲେ ଶାଶୁ, ସାର୍‌ ବୋହୂ ମୋ ପାଦ ଛୁଇଁବାକୁ କରୁଛି ମନା…

ଲକ୍ଷ୍ନୌ,୫।୬ : ଉତ୍ତରପ୍ରଦେଶର ଆଗ୍ରାରେ ବୋହୂ ତାଙ୍କ ପାଦ ଛୁଇଁ ନ ଥିବାରୁ ଶାଶୁ ରାଗିଗଲେ। ସେ ସିଧା ଯାଇ ଥାନାରେ ପହଞ୍ଚିଲେ। ଥାନା ଅଧିକାରୀ ଶାଶୁଙ୍କ କଥା ଶୁଣିବା ପରେ ମାମଲା କାଉନସେଲିଂ ସେଣ୍ଟରକୁ ପଠାଇଥିଲେ। ପରାମର୍ଶଦାତା ଉଭୟ ପକ୍ଷଙ୍କୁ ଡାକିଥିଲେ। ଶାଶୁ କହିଛନ୍ତି ବୋହୂ କାହାର ପାଦ ଛୁଇଁବାକୁ ମନା କରୁଛି। ଏହି କାରଣରୁ, ମୋତେ ଅନେକ ଥର ଲଜ୍ଜିତ ହେବାକୁ ପଡୁଛି। ବୋହୂ କହିଛନ୍ତି, ପାଦ ନ ଛୁଇଁଲେ କ’ଣ ହେବ, ମୁଁ ମୋ ହୃଦୟରୁ ଶାଶୁ ଏବଂ ଶ୍ୱଶୁରଙ୍କୁ ସମ୍ମାନ କରେ। ଏହି ମାମଲା ପରେ ବୋହୂ ଏବେ ଗତ ୧୫ ଦିନ ଧରି ତାଙ୍କ ବାପଘରେ ଅଛନ୍ତି ।

ଏହି ମାମଲା ସିକନ୍ଦରା ପୋଲିସ ଷ୍ଟେଶନ ଅଞ୍ଚଳର। ବୋହୂ ହେଉଛନ୍ତି ବି.ଟେକ ପାସ ଏବଂ ଶାଶୁ ଜଣେ ଶିକ୍ଷୟିତ୍ରୀ। ପ୍ରାୟ ଦେଢ଼଼ ବର୍ଷ ପୂର୍ବରୁ ତାଙ୍କ ପୁଅର ବିବାହ ହୋଇଥିଲା। ଶାଶୁ କୁହନ୍ତି ବୋହୂ ମୋ ପାଦକୁ ସ୍ପର୍ଶ କରେ ନାହିଁ। ଯଦି ସେ ଶିକ୍ଷିତା ତେବେ ସେ କ’ଣ ପାଦ ଛୁଇଁବ ନାହିଁ । ମୁଁ ମଧ୍ୟ ଶିକ୍ଷିତା, ମୁଁ ଜଣେ ଶିକ୍ଷୟିତ୍ରୀ। ମୁଁ ସମସ୍ତଙ୍କ ପାଦ ଛୁଇଁଥାଏ। ବୋହୂକୁ ଅନେକ ଥର ମନାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଶୁଣୁ ନାହିଁ ।

ପାଦ ଛୁଇଁଲେ କ’ଣ ହେବ ବୋଲି ବୋହୂ କୁହନ୍ତି। ଯେପର୍ଯ୍ୟନ୍ତ କେହି ହୃଦୟରୁ ସମ୍ମାନ କରନ୍ତି ନାହିଁ ଏସବୁ କରିବା ଲୋକ ଦେଖାଣିଆ। ସେ ଶାଶୁ ଏବଂ ଶ୍ୱଶୁରଙ୍କୁ ହୃଦୟର ସହିତ ସମ୍ମାନ କରନ୍ତି, ସବୁକିଛି ମାନନ୍ତି, କେବଳ ସେମାନଙ୍କ ପାଦକୁ ସ୍ପର୍ଶ କରନ୍ତି ନାହିଁ। ତାଙ୍କର ଲୋକ ଦେଖାଣିଆ ମନୋଭାବ ନାହିଁ।

ପରାମର୍ଶଦାତା ଅମିତ ଗୌଡ଼ କହିଛନ୍ତି ଉଭୟ ପକ୍ଷଙ୍କୁ କାଉନସେଲିଂ ପାଇଁ ଡକାଯାଇଥିଲା। ଉଭୟ ପାର୍ଶ୍ୱକୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ। ଏହି ପ୍ରସଙ୍ଗରେ ପରବର୍ତ୍ତୀ ତାରିଖ ଦିଆଯାଇଛି।

Share