ସୁନାବେଡା ୪ା୧(କୃତ୍ତିବାସ ପ୍ରଧାନ): ମାଣ୍ଡିଆ ଏମିତି ଏକ ଶସ୍ୟ ଆଦିବାସୀ ଜନଜାତିଙ୍କୁ ଛାଡିଦେଲେ ବାକି ଅନେକ ଲୋକଙ୍କ କାନକୁ ଏହି ଶବ୍ଦଟି ଖରାପ ଶୁଭୁ ଥିଲା। ଲୋକଙ୍କ ମନରେ ଧାରଣା ଥିଲା ଏହା ଆଦିବାସୀମାନଙ୍କ ଖାଦ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ଏହି ମାଣ୍ଡିଆ ଆଦିବାସୀଙ୍କ ପାଖରୁ ଯାଇ ବିଦେଶୀ ସମ୍ଭ୍ରାନ୍ତଙ୍କ ପ୍ରିୟ ହୋଇ ପାରିଛି। ମାଣ୍ଡିଆ ସାଧାରଣତଃ ଦକ୍ଷିଣ ମାଳଭୂମି କୋରାପୁଟ ଜିଲା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ। ଜିଲାର ୧୪ ବ୍ଲକ୍ରେ ଏହି ମାଣ୍ଡିଆ ଚାଷ କରାଯାଉଥିବା ବେଳେ ଲକ୍ଷ୍ମୀପୁର ଓ କୁନ୍ଦୁରା ବ୍ଲକ୍ରେ ଏହା ଅଧିକ ପରିମାଣରେ ଚାଷ କରାଯାଏ। ଏହି ମାଣ୍ଡିଆରେ ଅଧିକ ପରିମାଣରେ ପୃଷ୍ଟିସାର, ଖଣିଜ ଲବଣ, ସ୍ନେହସାର କାର୍ବୋହାଇଡ୍ରେଡ୍ ଓ ଫାଇବର୍ ଭରି ରହିଥାଏ। ମୋଟ ୩୩ କିସମର ଦେଶୀ ମାଣ୍ଡିଆ ଚାଷ ହେଉଥିଲେ ବି ଭାଲୁ, ଲଡୁ, ତେଲୁଗୁ ଓ ବଡ ମଣ୍ଡିଆର ବେଶ୍ ଚାହିଦା ରହିଛି। କାରଣ ଏହି କିସମର ବିହନରେ ହାଇବ୍ରିଡ଼ ମାଣ୍ଡିଆ ଅପେକ୍ଷା ଅଧିକ ଅମଳ ହୁଏ। ତେଣୁ ଏଠାକାର ଲୋକେ ଏହିସବୁ କିସମର ମାଣ୍ଡିଆ ଚାଷ କରନ୍ତି। ମାଣ୍ଡିଆର ଗୁଣସୁତ୍ରରେ ବିଭିନ୍ନ ପ୍ରକାରର ଜୀନ୍ ରହିଥିବା ପରୀକ୍ଷାରୁ ଜଣାପଡିଛି ବୋଲି କୁହାଯାଉଛି।
ବର୍ତ୍ତମାନ ଯେଉଁ ଭଳି ଭାବେ ଜଳବାୟୁ ପରିବର୍ତ୍ତନ ଘଟୁଛି ଏହି ପ୍ରକାର ମାଣ୍ଡିଆ ମରୁଡି ପ୍ରତିକୁଳ ପରିବେଶରେ ଚାଷ କରିବା ସହିତ ଆଦିବାସୀଙ୍କର ଖାଦ୍ୟ ସୁରକ୍ଷା ଯୋଗାଇବା ଦକ୍ଷତା ରହିଛି ବୋଲି ଏକ ଆକଳନରୁ ଜଣାପଡିଛି। ଗୁଣାତ୍ମକ ମାଣ୍ଡିଆର ବିଭିନ୍ନ ଗୁଣସୂତ୍ର ବା ଜୀନ୍କୁ ନେଇ ନୂତନ ମାଣ୍ଡିଆ ଚାଷ କରାଯାଇ ପାରିବ ବୋଲି କୁହାଯାଉଛି। ନିକଟରେ କୋରାପୁଟର ମାଣ୍ଡିଆର ଉନ୍ନତ ଗୁଣବତ୍ତାକୁ ଲକ୍ଷ୍ୟକରି ସରକାରଙ୍କର ମିଲେଟ ମିଶନ ସହାୟତାରେ କୋରାପୁଟର ୪ଟି ଦେଶୀ ମାଣ୍ଡିଆର ଭୂପ୍ରଜାତି ବାଟି, ଭାରତୀ, କାଳିଆ ଓ ମାମି ମାଣ୍ଡିଆ ବାହାର କରିଛନ୍ତି। ଯାହାକି ଆଗାମୀ ଦିନରେ ଅଧିକ ପ୍ରଚାର ପ୍ରସାର ଓ ଚାଷ କରାଯିବ। ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହାର ଚାଷ ହୋଇ ପାରୁଥିବା ଯୋଗୁ ଏହା ବେଶ୍ ଲାଭଦାୟକ। ଓଡିଶା ତଥା ଭାରତ ସରକାର ୨୦୨୩ ବର୍ଷକୁ ମିଲେଟ୍ ମିଶନ୍ ଭାବେ ପାଳନ କରି ମାଣ୍ଡିଆକୁ ସାମିଲ୍ କରିବା ପରେ ଏହାର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହୋଇଛି। ଏଥିରୁ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ପ୍ରକାରର ପିଠାପଣା ସାଙ୍ଗକୁ ଲଡୁ,ମୁଢି ଓ କେକ୍ ତିଆରି କରି ମାଣ୍ଡିଆକୁ ବିଶ୍ବସ୍ତରରେ ପ୍ରସିଦ୍ଧି କରାଇବାରେ ସହାୟକ ହୋଇଛନ୍ତି। ନିକଟରେ ମିଲେଟ ଓ ଶ୍ରୀ ଅନ୍ନର ଗୁରୁତୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଜୀବନଶୈଳୀ ସମ୍ବନ୍ଧିତ ରୋଗକୁ ରୋକିବାରେ ଏହା ସହାୟକ ହେବ। ଓଡିଶାର ମିଲେଟକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କପକ୍ଷରୁ ଭୁବନେଶ୍ୱରରେ ଗତ ନଭେମ୍ବରରେ ଏକ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ କରାଯାଇଥିଲା। ଯେଉଁଥିରେ କୋରାପୁଟର ପାରମ୍ପରିକ ମିଲେଟ୍ର ବିଶେଷତ୍ୱ ତଥା ସଂରକ୍ଷଣ ଉପରେ ବିଶେଷ ଆଲୋଚନା ହୋଇଥିଲା। ଏହି ମାଣ୍ଡିଆକୁ ସରକାରଙ୍କ ମିଲେଟ ମିଶନ ମାଧ୍ୟମରେ ପ୍ରଚାର,ପ୍ରସାର ଓ ସଂରକ୍ଷଣ କରାଗଲେ ଏହା ଖାଦ୍ୟ ଓ ଅପପୁଷ୍ଟିର ସୁରକ୍ଷା ଦେବା ସହିତ ଆଦିବାସୀ ଜନଜାତିଙ୍କ ଆର୍ଥିକ ବିକାଶ ଦିଗରେ ବେଶ୍ ସହାୟକ ହୋଇପାରିବ। କୋରାପୁଟର କଫି କଳାଜୀରା ଚାଉଳ ଭଳି ମାଣ୍ଡିଆର ପ୍ରଚାର ପ୍ରସାର ଓ ବଜାରୀକରଣ କରାଗଲେ ଏହା କୋରାପୁଟ ଜିଲା ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଆଦିବାସୀମାନଙ୍କର ଜୀବନ ଜୀବିକାକୁ ସମୃଦ୍ଧ କରିବ ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ସହକାରୀ ପ୍ରଫେସର ଦେବବ୍ରତ ପଣ୍ଡା ବିଶେଷଜ୍ଞ ମତ ରଖିଛନ୍ତି। ଅପରପକ୍ଷରେ ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ଚାଷ କରିବା ସହ ଯୁବ ପିଢ଼ି ମଧ୍ୟ ଏହି ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି କେତେକ ମାଣ୍ଡିଆ ଚାଷୀ କହିଛନ୍ତି ।