ଅବକାରୀ ଏଏସ୍‌ଆଇ, ଡ୍ରାଇଭରଙ୍କୁ ଗୋଡାଇ ହାଣିଲେ

ଖୁଣ୍ଟୁଣୀ, ୨୮ା୭ (ସଚ୍ଚିଦାନନ୍ଦ ପଣ୍ଡା)- କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ଡାଳୁଆ ଓ ଖଣ୍ଡୁଆଳି ଗ୍ରାମ ନିକଟ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ମଦଭାଟି ଉପରେ ରାଜ୍ୟ ଫ୍ଲାଇଂ ସ୍କ୍ବାର୍ଡ, କଟକ ୟୁନିଟ୍‌-୧ର ମୋବାଇଲ ସ୍କ୍ବାର୍ଡ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ହେଲେ ଏହି ସମୟରେ ସ୍ଥାନୀୟ ଅଞ୍ଚଳର କେତେଜଣ ଚୋରା ମଦ ବ୍ୟବସାୟୀ ମୁହଁରେ ମୁଖା ପିନ୍ଧି ଅବକାରୀ ବିଭାଗର ୨ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିସହ ୪ଟି ଗାଡ଼ି ଭଙ୍ଗାରୁଜା କରିବା ସହ ୧୨ଟି ଚକା କାଟିଦେଇଥିଲେ। ଆକ୍ରମଣରେ ଅବକାରୀ ଏଏସ୍‌ଆଇ ହେମନ୍ତ ମଲ୍ଲିକ ଓ ଡ୍ରାଇଭର ବିଷ୍ଣୁ ମୋହନ ଦାସ ଆହତ ହୋଇଛନ୍ତି। ଚିକିତ୍ସାଲାଗି ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।