ଭୁବନ, ୫।୪(ଡି.ଏନ.ଏ.)-ଆଖିରେ ପଟିବାନ୍ଧି ପଢ଼ିପାରୁଛନ୍ତି ବହି। ନିର୍ଭୁଲ ଭାବେ କହିପାରୁଛନ୍ତି ଏଟିଏମ୍ କାର୍ଡ ଉପରେ ଲେଖାଯାଇଥିବା ସଂଖ୍ୟା। ଧରିପାରୁଛନ୍ତି କ୍ୟାଚ୍। ଏଭଳି ବିସ୍ମୟ ପ୍ରତିଭାର ଅଧିକାରୀ ନିବେଦିତା ବେଜ ଏବଂ ତାଙ୍କ ଭାଇ ରଶ୍ମିରଞ୍ଜନ ବେଜ୍ଙ୍କୁ ନେଇ ଢେଙ୍କାନାଳ ଜିଲା ଭୁବନ ଏନ୍ଏସିରେ ଆରମ୍ଭ ହୋଇଛି ଚର୍ଚ୍ଚା।
ଭୁବନ ଏନ୍ଏସି ଅନ୍ତର୍ଗତ ୩ନଂ. ଓ୍ବାର୍ଡରେ ରୁହନ୍ତି ମାନସ ବେଜ, ତାଙ୍କ ସ୍ତ୍ରୀ ପ୍ରମିଳା, ଝିଅ ନିବେଦିତା ଏବଂ ପୁଅ ରଶ୍ମିରଞ୍ଜନ। କିଛିଦିନ ତଳେ ଝିଅପୁଅଙ୍କ ନିକଟରେ ଆଖି ବନ୍ଦ କରି ଜିନିଷ ଠାବ କରିବାର ବିସ୍ମୟ ପ୍ରତିଭା ସମ୍ପର୍କରେ ଜଣାପଡ଼ିଥିଲା। ତେବେ ଏହାକୁ ମାନସ ଏବଂ ପ୍ରମିଳା ଗୁରୁତ୍ୱର ସହ ନେଇ ନ ଥିଲେ। ତେବେ ସାଙ୍ଗସାଥୀଙ୍କଠାରୁ ଶୁଣିବା ପରେ ସେମାନେ ଝିଅପୁଅଙ୍କୁ ପରୀକ୍ଷା କରିଥିଲେ। ପଟି ବନ୍ଧା ଆଖିରେ ନିବେଦିତା ଏବଂ ରଶ୍ମିରଞ୍ଜନ ପାଠ୍ୟପୁସ୍ତକର ପୃଷ୍ଠାସଂଖ୍ୟା ନିର୍ଭୁଲ ଭାବେ କହିଦେଇଥିଲେ। ଆଖି ବନ୍ଦ କରି ବହି ମଧ୍ୟ ପଢ଼ିଥିଲେ, ଯାହାକୁ ନେଇ ମା’ବାପା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏ ସଂକ୍ରାନ୍ତରେ ମନୋଜ କୁହନ୍ତି, ଝିଅପୁଅଙ୍କ ଆଚରଣ ସ୍ବାଭାବିକ। ସେମାନେ ଅନ୍ୟପିଲାଙ୍କ ଭଳି ଖେଳକୁଦ କରୁଛନ୍ତି। ପାଠ ମଧ୍ୟ ପଢୁଛନ୍ତି। ପ୍ରାୟ ମାସେ ତଳେ ଝିଅ ନିବେଦିତାଙ୍କ ପାଖରେ ଏଭଳି ପ୍ରତିଭା ଦେଖିବାକୁ ମିଳିଥିଲା। ତେବେ ଏହାକୁ ସ୍ତ୍ରୀ ପ୍ରମିଳା ବିଶ୍ୱାସ କରି ନ ଥିଲେ। ଝିଅ ଆଖି ବନ୍ଦ କରି କେବଳ ଶୁଙ୍ଘି କରି ତାସର ରଙ୍ଗ କହିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ଏହାର କିଛିଦିନ ପରେ ପୁଅ ପାଖରେ ସମାନ ପ୍ରତିଭା ଦୃଷ୍ଟିଗୋଚର ହୋଇଥିଲା। ହେଲେ କେଉଁ କାରଣରୁ ଝିଅପୁଅଙ୍କ ଭିତରେ ଏଭଳି ବିସ୍ମୟ ପ୍ରତିଭା ବିକଶିତ ହୋଇଛି ସେ ସମ୍ପର୍କରେ ଜାଣିପାରୁ ନ ଥିବା ମନୋଜ କହିଛନ୍ତି। ସୂଚନାଯୋଗ୍ୟ, ସ୍ଥାନୀୟ ଭୁବନ ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ନିବେଦିତା ଚତୁର୍ଥ ଶ୍ରେଣୀ ଏବଂ ରଶ୍ମିରଞ୍ଜନ ଷ୍ଟାଣ୍ଡାର୍ଡ ୨ରେ ପାଠପଢୁଛନ୍ତି। ଉଭୟଙ୍କ ଏଭଳି ପ୍ରତିଭା ବିଷୟରେ ଜଣାପଡ଼ିବା ପରେ ଅଞ୍ଚଳବାସୀ ମନୋଜଙ୍କ ଘରେ ଭିଡ଼ ଜମାଉଛନ୍ତି।