ବର୍ଷା ହେଲେ ବାରଣ୍ଡାରେ ପାଠପଢ଼ା

କଣ୍ଟିପାଳ,୨୬ା୮(ସୁଶାନ୍ତ କୁମାର ସାହୁ): ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୫-ଟି ଜରିଆରେ ବିଦ୍ୟାଳୟର ଉନ୍ନତୀକରଣ କରି ଛାତ୍ରୀଛାତ୍ରଙ୍କ ବିକାଶ କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତ ବିରିଡ଼ିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ବି ଶୋଚନୀୟ ଅବସ୍ଥାରେ ରହିଛି। ଏଠାରେ ଥିବା ଅନେକ ଶ୍ରେଣୀଗୃହରୁ ସାଧାରଣ ବର୍ଷା ହେଲେ ମଧ୍ୟ ପାଣି ଗଳୁଛି। ଫଳରେ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବାରଣ୍ଡାରେ ଛିଡ଼ାକରି ପାଠ ପଢ଼ାଇବାର ଦୃଶ୍ୟ ଶିକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟାନ୍ତ ୧୭୮ ପିଲା ଅଧ୍ୟୟନ କରନ୍ତି। ଶିକ୍ଷାଦାନ ପାଇଁ ୬ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପିଲାମାନଙ୍କ ପାଠପଢ଼ା ପାଇଁ ଉଦ୍ଦିଷ୍ଟ ଗୋଟିଏ ବିଲ୍ଡିଂର ଦୁଇଟି ଶ୍ରେଣୀଗୃହ ଠିକ୍‌ ରହିଥିବା ବେଳେ ଗୋଟିଏ ଶ୍ରେଣୀଗୃହ ବିଶିଷ୍ଟ ଅନ୍ୟ ବିଲ୍ଡିଂର ଛାତରୁ ବର୍ଷା ହେଲେ ପାଣି ଗଳୁଛି। ସେହିପରି ଟାଇଲ ଛପରରେ ଥିବା ୫ ଶ୍ରେଣୀ ବିଶିଷ୍ଟ ଗୃହରୁ ମଧ୍ୟ ବର୍ଷା ହେଲେ ପାଣି ଜମୁଛି। ଗୁରୁବାର ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଶ୍ରେଣୀଗୃହରୁ ପାଣି ଗଳୁଥିବାରୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବାରଣ୍ଡାରେ ଶିକ୍ଷାଦାନ କରୁଥିବାର ଦେଖାଯାଇଥିଲା। ଏନେଇ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବିନିସା ପୂର୍ବରୁ ଅନେକ ବାର ସମସ୍ୟା ସମ୍ପର୍କରେ ବିଇଓଙ୍କୁ ଜଣାଇଥିବା କହିଛନ୍ତି। ଆନନ୍ଦପୁର ଏବିଓ ହେମେନ୍ଦ୍ର ମହାନ୍ତ ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ସହ କଥା ହେବାକୁ କହିଥିଲେ। କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକ କହିଛନ୍ତି, ଦେଖିବା ଏ ନେଇ କ’ଣ କରାଯାଇପାରିବ।
Share