ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ରାଉରକେଲା,୧୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବିଶ୍ରା ଅଞ୍ଚଳର ସରକାରୀ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ପିଲାମାନଙ୍କୁ ଏଯାଏ ଆବଶ୍ୟକ ପାଠ୍ୟପୁସ୍ତକ ମିଳିନାହିଁ। ପ୍ରଥମ, ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ହସ ଖେଳ ପ୍ରଥମ ଭାଗ, ଓଡିଆ କାର୍ଯ୍ୟ ପୁସ୍ତିକା, ଗଣିତ କାର୍ଯ୍ୟ ପୁସ୍ତିକା, ଭାଷା କାର୍ଯ୍ୟ ପୁସ୍ତିକା ଓ ୭ମ ଶ୍ରେଣୀ ପିଲାଙ୍କୁ ସାମାଜିକ ବିଜ୍ଞାନ ବହି ମିଳି ନ ଥିବାରୁ ସେମାନଙ୍କ ପଢାରେ ଅସୁବିଧା ହେଉଛି। ଗୋଟିଏ ପଟେ ସରକାରୀ ସ୍କୁଲରେ ବିଦ୍ୟାର୍ଥୀମାନଙ୍କ ଉପସ୍ଥାନ ହାର ବୃଦ୍ଧି କରିବା ପାଇଁ ୫-ଟି ଜରିଆରେ ସରକାରୀ ସ୍କୁଲ ସ୍ମାର୍ଟ ସ୍କୁଲରେ ରୂପାନ୍ତର ହେଉଛି। ମାଗଣା ପୋଷାକ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ମାତ୍ର ଠିକ୍‌ ସମୟରେ ଗରିବ ପିଲାମାନଙ୍କୁ ବହି ମିଳୁନାହିଁ।
ରାଉରକେଲା ବିଶ୍ରା ଶିକ୍ଷା ଅଞ୍ଚଳରେ ମୋଟ ୩୧୭ଟି ସରକାରୀ ଓ ବେସରକାରୀ ସ୍କୁଲ ରହିଛି। ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୪ ହଜାର ପିଲା ଅଧ୍ୟୟନ କରୁଛନ୍ତି। ସରକାର ସେମାନଙ୍କୁ ସମସ୍ତ ପାଠ୍ୟ ପୁସ୍ତକ ମାଗଣାରେ ପ୍ରଦାନ କରୁଛନ୍ତି। ୭ମ ଶ୍ରେଣୀ ପିଲାଙ୍କ ପାଇଁ ସାମାଜିକ ବିଜ୍ଞାନ ଏକ ପ୍ରମୁଖ ପାଠ୍ୟକ୍ରମ ରହିଥିବା ବେଳେ ସେମାନଙ୍କୁ ଏଯାଏ ବହି ମିଳିନାହିଁ। ଅନ୍ୟପଟେ ୧ମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ହସଖେଳ-୨ୟ ଭାଗ ପ୍ରଦାନ କରାଯାଇଥିବା ବେଳେ ପ୍ରଥମ ଭାଗ ମିଲିନାହିଁ। ଫଳରେ ପିଲାମାନେ ପ୍ରଥମ ଭାଗର ପାଠ୍ୟକ୍ରମ ପରିବର୍ତ୍ତେ ଦ୍ୱିତୀୟ ଭାଗ ପାଠ ପଢୁଛନ୍ତି। ଏହାକୁ ନେଇ ଅଭିଭାବକକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ରାଉରକେଲା ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ବାଇଁଙ୍କୁ ପଚାରିବାରୁ ସେ କହିଲେ, ମୁ କିଛିଦିନ ହେଲା ଦାୟିତ୍ୱ ଗ୍ରହଣ କରିଛି। ମୋ ଜାଣିବାରେ ଏଯାଏ ବିଶ୍ରା ଶିକ୍ଷାଞ୍ଚଳ ସରକାରୀ ସ୍କୁଲମାନଙ୍କରେ ୭ମ ଶ୍ରେଣୀ ପିଲାଙ୍କୁ ସାମାଜିକ ବିଜ୍ଞାନ ବହି ଦିଆଯାଇନାହିଁ। ୧ମ ଓ ୨ୟ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକ ବିଷୟରେ ସେ ଜାଣି ନ ଥିବା କହିଥିଲେ।